ଧାନ କିଣା ନ ଗଲେ ଆନ୍ଦୋଳନ

ବଇଣ୍ଡା, ୩୧ା୧ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ବିଭିନ୍ନ ସୋସାଇଟିରେ ଏବେ ଧାନ କିଣିବାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଧାନ କିଣାଯାଉ ନ ଥିବା ଯୋଗୁ ବାମୁର ସୋସାଇଟିରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ସୋସାଇଟି ଅଧୀନରେ ଥିବା ଶତାଧିକ ଚାଷୀଙ୍କ ଠାରୁ ଧାନ ଠିକ୍‌ରେ କିଣାଯାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ ସୋମବାର ବାମୁର ସୋସାଇଟି ପରିସରରେ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ଦୀପକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ସଞ୍ଜୀବ କୁମାର ପ୍ରଧାନ, ମନୋରଞ୍ଜନ ପ୍ରଧାନ, ମହେଶ୍ୱର ପ୍ରଧାନ, ଧବଳେଶ୍ୱର ପ୍ରଧାନ, ନିତୁନ ପ୍ରଧାନ, ସଦାଶିବ ପ୍ରଧାନ, ପ୍ରାଣବନ୍ଧୁ ପ୍ରଧାନ, ମାନ ଗୋବିନ୍ଦ ପ୍ରଧାନ, ରାଜ ଦେହୁରୀଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।
ଚାଷୀମାନେ କହିଥିଲେ ଯେ, ବାମୁର ସୋସାଇଟିରୁ ୧୮ ହଜାର ୨୫୦ କୁଇଣ୍ଟାଲ ଧାନ କିଣିବା ପାଇଁ ସରକାର ଟାର୍ଗେଟ କରିଥିଲେ। ହେଲେ ୧୨ ହଜାର କୁଇଣ୍ଟା ଧାନ କିଣିବା ପାଇଁ ମିଲରଙ୍କୁ ମାର୍କର ଆସିଷ୍ଟେଡ ସିଲେକ୍ସନ (ଏମ୍‌ଏଏସ୍‌) ଦିଆଯାଇଥିବା ବେଳେ ମିଲର ୧୧ ହଜାର ୮୭୦ କୁଇଣ୍ଟାଲ ଧାନ କିଣିସାରିଛନ୍ତି। ଆଉ ବଳକା ୬ ହଜାର ୩୮୦ କୁଇଣ୍ଟାଲ ଧାନ କିଣିବା ପାଇଁ ଏମ୍‌ଏଏସ୍‌ ଦିଆଯାଉନାହିଁ। ଫଳରେ ମିଲର ବଳକା ଧାନ କିଣୁନାହାନ୍ତି। ଏହଦ୍ୱାରା ଚାଷୀମାନେ ଧାନ ବିକ୍ରି କରି ନ ପାରି ଘରେ ରଖି ଚିନ୍ତିତ ହୋଇ ପଡିଛନ୍ତି। ସେମାନଙ୍କୁ ଦିଆଯାଇଥିବା ଟୋକନର ଶେଷ ତାରିଖ ଜାନୁୟାରୀ ୩୧ ଥିବା ବେଳେ ଟୋକନ ନଷ୍ଟ ହୋଇଯିବା ଆଶଙ୍କା କରାଯାଇଛି। ତୁରନ୍ତ ଚାଷୀମାନଙ୍କ ଧାନ କିଣା ନ ଗଲେ ଆଗାମୀ ଦିନରେ ସମସ୍ତ ଧାନ ଆଣି ରାସ୍ତାରେ ରଖି ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଧମକ ଦେଇଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କହିଛନ୍ତି, ବାମୁର ସୋସାଇଟିରେ ଚାଷୀମାନଙ୍କ ଧାନ କିଣିବା ପାଇଁ ଜିଲାପାଳଙ୍କୁ ରିପୋର୍ଟ ଦିଆଯାଇଛି। ଖୁବ୍‌ଶୀଘ୍ର ପଦେକ୍ଷପ ନିଆଯିବ।