ନ୍ୟାୟ, ସୁରକ୍ଷା ଦାବିରେ ଅନଶନ

କେନ୍ଦୁଝର ୮।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାୟ ଓ ସୁରକ୍ଷା ଦାବିରେ ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମରଣ ଅନଶନରେ ବସିଛନ୍ତି। ଏନେଇ ସେ ଗତ ୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ନ୍ୟାୟ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଆମରଣ ଅନଶନରେ ବସିବେ ବୋଲି ଜଣାଇବା ସହ ଦାବିପତ୍ରର ଏକ ନକଳ ରାଜ୍ୟପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଏହା ପୂର୍ବରୁ ସେ ବଡ଼ବିଲସ୍ଥିତ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଅନଶନରେ ବସିଥିଲେ। ଏପରିକି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ। ହେଲେ ଦୁଇ ବର୍ଷ ବିତିଯାଇଥିଲେ ହେଁ ନ୍ୟାୟ ନ ମିଳିବାରୁ ଶୁକ୍ରବାର ପୁଣି ଅନଶନରେ ବସିଥିବା ସନ୍ତୋଷ ପ୍ରକାଶ କରିଛନ୍ତି।

ଯୁବକ ଜଣକ ବଡବିଲ ସ୍ଥିତ କେଏନ୍‌ ରାମ ଆଣ୍ଡ କମ୍ପନୀ ଏବଂ ଓରସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କାମ କରୁଥିବା ବେଳେ ତାଙ୍କୁ ବେଆଇନ ଭାବେ ଚାକିରିରୁ ବହିଷ୍କାର କରାଯାଇଥିବା ସନ୍ତୋଷ ଅଭିଯୋଗ କରିଛନ୍ତି।

ଏନେଇ ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ହେଁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ନାହିଁ। ସେ ପାଖାପାଖି ୧.୯୮ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପାଇବାକୁ ଥିବା ବେଳେ ତାଙ୍କୁ ଗତ ୨୦୨୩ ଅଗଷ୍ଟରେ ମାତ୍ର ୬୮ ହଜାର ଟଙ୍କା ପୈଠ କରାଯାଇଛି ବୋଲି ସେ କହିଛନ୍ତି ା ଏଣୁ ବକେୟା ଟଙ୍କା ଦେବାକୁ ସେ ଦାବି କରିଛନ୍ତି।

ଏନେଇ କେନ୍ଦ୍ର ଶ୍ରମ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସେ କହିଛନ୍ତି ା ଏପରିକି ସନ୍ତୋଷଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ ଶିବରାତ୍ରି ପାଇଁ ଶୁକ୍ରବାର ଛୁଟି ଥିବାରୁ ପ୍ରଶାସନ ପକ୍ଷରୁ କେହି ଆଲୋଚନା କରିବାକୁ ଆସି ନ ଥିବା ବେଳେ ଟାଉନ ଥାନା ଅଧିକାରୀ ରମାକାନ୍ତ ସଏ ପହଞ୍ଚି ସନ୍ତୋଷଙ୍କ ସହିତ ଆଲୋଚନା କରିଥିଲେ ା ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ସନ୍ତୋଷ କହିଛନ୍ତି ା