ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ଆବେଦନ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ପାଇଁ ଆବେଦନ ସମୟସୀମା ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଚଳିତ ମାସ ୧୨ ତାରିଖ ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆଉ ୫ଦିନ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ www.samsodisha.gov.inରେ ଆବେଦନ କରିପାରିବେ। ଏ ନେଇ ମଙ୍ଗଳବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୮ ଓ ୧୯ ତାରିଖରେ କମନ ଆପ୍ଲିକେଶନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। କିନ୍ତୁ ଏହି ସମୟ ମଧ୍ୟରେ ନୂଆ ଆବେଦନ କରି ହେବ ନାହିଁ। ୨୫ ତାରିଖ ଅପରାହ୍ନ ୨ଟା ପରଠାରୁ ଛାତ୍ରୀଛାତ୍ରମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହା ମଧ୍ୟରେ ୭, ୯ ଓ ୧୧ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ନାହିଁ। ପ୍ରତ୍ୟେକ ଦିନ ପରୀକ୍ଷା ତିନୋଟି ସିଟିଂରେ ହେବ। ପ୍ରଥମ ସିଟିଂ ୧୦ଟାରୁ ସାଢ଼େ ୧୧ଟା, ଦ୍ୱିତୀୟ ସିଟିଂ ସାଢ଼େ ୧୨ଟାରୁ ଅପରାହ୍ନ ୨ଟା ଏବଂ ତୃତୀୟ ସିଟିଂ ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତି ସିଟିଂରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ଅତିରିକ୍ତ ୩୦ ମିନିଟ୍‌ ସମୟ ଦିଆଯିବ। ଅଗଷ୍ଟ ୨୫ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ କରିବେ। ସେପ୍ଟେମ୍ବର ୫ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ସେପ୍ଟେମ୍ବର ୧୩ ଅପରାହ୍ନ ୧୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୧୪ ଓ ୧୫ରେ ନାମଲେଖା ହେବ। ଖାଲି ସିଟ୍‌ ନେଇ ୨୦ ତାରିଖରେ ସାମ୍ସ ୱେବସାଇଟ୍‌ରେ ସୂଚନା ପ୍ରକାଶ ପାଇବ। ୨୩ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରୀଛାତ୍ରାମାନେ www.samsodisha.gov.inରେ ଲଗ୍‌ ଇନ୍‌ କରି ଅଧିକ ସୂଚନା ପାଇପାରିବେ।