ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍ର କୁଇନ୍ ମେରି ୟୁନିଭର୍ସିଟି ଅଫ୍ ଲଣ୍ଡନର ଗବେଷକମାନଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଏକ ସହଜ ‘ବ୍ରଶ ବାୟୋପ୍ସି ଟେଷ୍ଟ’ ବିକଶିତ କରିଛନ୍ତି, ଯାହା ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଟି କର୍କଟ ରୋଗ୍କୁ ଠିକ୍ ଭାବେ ଚିହ୍ନଟ କରିପାରିବ। ବର୍ତ୍ତମାନ ବ୍ୟବହାର କରାଯାଉଥିବା ଅତ୍ୟନ୍ତ କଷ୍ଟଦାୟକ ଅସ୍ତ୍ରୋପଚାର ଭିତ୍ତିକ ବାୟୋପ୍ସି ବଦଳରେ ଏହି ନୂତନ ପଦ୍ଧତି ଏକ ଯନ୍ତ୍ରଣାହୀନ ବିକଳ୍ପ ସାଜିବ। ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ବାୟୋମାର୍କର ରିସର୍ଚ୍ଚ’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଏହି ନୂତନ ପରୀକ୍ଷା ଦ୍ୱାରା ପ୍ରାୟ ୯୦%ରୁ ଅଧିକ ରୋଗୀଙ୍କୁ ଅଯଥା ଓ କଷ୍ଟଦାୟକ ବାୟୋପ୍ସି ପ୍ରକ୍ରିୟାରୁ ରକ୍ଷା କରାଯାଇପାରିବ।
ଏହି ଗବେଷଣାରେ ୫୪୫ ଜଣ ରୋଗୀଙ୍କଠାରୁ ପ୍ରାୟ ୧,୦୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ଅନୁସନ୍ଧାନ କରାଯାଇଥିଲା। ଗବେଷକମାନେ ପୂର୍ବରୁ ଥିବା ଏକ ଜୀବକୋଷ ଭିତ୍ତିକ ସୂକ୍ଷ୍ମ ପରୀକ୍ଷାକୁ ପରିବର୍ତ୍ତନ କରି ‘କ୍ୟୁ-ମିଡ୍ସ ଭି-୩’ ନାମକ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ଏଥିରେ କୌଣସି ଛୁରି କିମ୍ବା ବ୍ଲେଡ୍ ସାହାଯ୍ୟରେ ପାଟି ଭିତରୁ ମାଂସପେଶୀ ନ କାଟି, କେବଳ ଏକ ନରମ ବ୍ରଶ ସାହାଯ୍ୟରେ ପାଟି ଭିତରୁ କୋଷଗୁଡ଼ିକୁ ସଂଗ୍ରହ କରାଯାଇଥାଏ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହି ପରୀକ୍ଷାର ରିପୋର୍ଟ ମାତ୍ର ୧ ଘଣ୍ଟା ମଧ୍ୟରେ ମିଳିଯାଇଥାଏ। ପାଟିର ଭୂପୃଷ୍ଠ କୋଷଗୁଡ଼ିକରେ ଥିବା ଜେନେଟିକ୍ ସଙ୍କେତ କର୍କଟ ରୋଗର ସୂଚନା ଦେବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ବୋଲି ଗବେଷକମାନେ ଆବିଷ୍କାର କରିଛନ୍ତି।
ମୁଖ୍ୟ ଗବେଷକ ପ୍ରଫେସର ମୁଇ ଟେକ୍ ତେହ୍ କହିଛନ୍ତି, ଏହି ପରୀକ୍ଷା ସମ୍ପୂର୍ଣ୍ଣ ଯନ୍ତ୍ରଣାହୀନ ହୋଇଥିବାରୁ ଏହାକୁ ବାରମ୍ବାର କରାଯାଇପାରିବ। ଏହାଦ୍ୱାରା ଡାକ୍ତରମାନେ ରୋଗୀଙ୍କ ପାଟିରେ ଥିବା ସନ୍ଦେହଜନକ କ୍ଷତଗୁଡ଼ିକୁ ନିୟମିତ ନିରୀକ୍ଷଣ କରିପାରିବେ ଏବଂ କ୍ୟାନ୍ସର ହେବାର ବହୁ ପୂର୍ବରୁ ହିଁ ଏହାକୁ ରୋକାଯାଇପାରିବ। ସାଧାରଣତଃ ପାଟିରେ ହେଉଥିବା ସମସ୍ତ କ୍ଷତ କ୍ୟାନ୍ସର ହୋଇ ନ ଥାଏ, ମାତ୍ର ସନ୍ଦେହ ଦୂରକରିବା ପାଇଁ ରୋଗୀମାନଙ୍କୁ ପୂର୍ବରୁ କଷ୍ଟଦାୟକ ବାୟୋପ୍ସି ଦେଇ ଗତି କରିବାକୁ ପଡ଼ୁଥିଲା, ଯାହା ଏବେ ବନ୍ଦ ହେବ।
ବର୍ତ୍ତମାନ ସମଗ୍ର ବିଶ୍ୱରେ ପାଟି କର୍କଟ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯେଉଁଥିରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୬ ଲକ୍ଷ ୫୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି। ତମାଖୁ ସେବନ, ମଦ୍ୟପାନ, ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍ପିଭି) ସଂକ୍ରମଣ ଏବଂ ଅତ୍ୟଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଏହାର ମୁଖ୍ୟ କାରଣ ସାଜିଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗବେଷଣା ଦଳରେ ବ୍ରିଟେନ୍ର ବୈଜ୍ଞାନିକଙ୍କ ସହ ଭାରତର ସର୍ବୋଚ୍ଚ ଚିକିତ୍ସା ସଂସ୍ଥା ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍ସ), କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି ଏବଂ ମଡର୍ନ ଡେଣ୍ଟାଲ କଲେଜର ବିଶେଷଜ୍ଞମାନେ ସାମିଲ ଅଛନ୍ତି। ଗବେଷକମାନଙ୍କ କହିବା ଅନୁସାରେ, ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ଶସ୍ତା ଏବଂ ଆସନ୍ତା ୨ ବର୍ଷ ମଧ୍ୟରେ ଏହାକୁ ସାଧାରଣ ବ୍ୟବହାର ପାଇଁ ବଜାରକୁ ଅଣାଯିବା ଯୋଜନା ରହିଛି।