ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର ପ୍ରାଣୀ ଭାରତୀୟ ମାଉସ୍ ଡିଅର(ମସଚିଓଲା ଇଣ୍ଡିକା) ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋ ଦେଖି ବନ୍ୟପ୍ରାଣୀପ୍ରେମୀ ଓ ପର୍ଯ୍ୟଟକମାନେ ଖୁସି ପ୍ରକଟ କରିଛନ୍ତି।
ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ପଥର ଭୂମିରେ କଳାବାଘଠାରୁ ଆରମ୍ଭ କରି ହାତୀ, ଭାଲୁ ଓ କୁମ୍ଭୀର ଭଳି ପ୍ରଜାତିର ଅନେକ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ଦେଖିବାକୁ ମିଳିଥାଏ। ତେବେ ଏଠାରେ ଏବେ ମାଉସ୍ ଡିଅର ଭଳି ଏକ ତୃଣଭୋଜି ପ୍ରାଣୀକୁ ଠାବ କରାଯାଇଛି। ଏହି ଛୋଟ ଆକାର ପ୍ରାଣୀର ଏକ ଆକର୍ଷକ ଫଟୋ ସାମ୍ନାକୁ ଆସିଛି ା ଏହାର ଧୂସର-କଳା ଶରୀରରେ ଛୋଟ କାନ ଓ ବଡ଼ ଆଖି ଥିବା ଦେଖିବାକୁ ମିଳିଛି। ଏହି ପ୍ରଜାତି ସାଧାରଣତଃ ରାତିରେ ସକ୍ରିୟ ହୋଇଥାନ୍ତି। ଭାରତୀୟ ମାଉସ୍ ଡିଅର ବିଶ୍ୱର ସର୍ବକ୍ଷୁଦ୍ର ପ୍ରାଣୀ ମଧ୍ୟରୁ ଅନ୍ୟତମ। ଏହା ଭାରତର କେତେକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ପ୍ରାଣୀର ସଂରକ୍ଷଣ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ଓଡ଼ିଶା ବନ ଉନ୍ନୟନ ନିଗମ ସ୍ବାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳରେ ଏଭଳି ପ୍ରାଣୀ ଅନେକ ବର୍ଷ ଧରି ରହିଆସୁଛନ୍ତି। ଶିମିଳିପାଳ ପାଇଁ ଏହା ନୂଆ କଥା ନୁହେଁ। ଏହି ପ୍ରଜାତିର ପ୍ରାଣୀଙ୍କୁ ସ୍ଥାନୀୟ ଲୋକେ ଗୁରାଣ୍ଡି ବୋଲି କହିଥାନ୍ତି।