କୃଷି ପ୍ରଗତି ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଏବଂ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ମଧ୍ୟରେ ମଙ୍ଗଳବାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଗେଟ୍‌ସ ଫାଉଣ୍ଡେଶନ ଓ ଏହାର ଭାଗୀଦାରମାନେ କୃଷି ଡାଟା ସିଷ୍ଟମ୍‌, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ। ଏହାଦ୍ୱାରା ରାଜ୍ୟର ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ। ସେମାନଙ୍କ ଜୀବନଜୀବିକାର ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ନିମନ୍ତେ ଅଧିକ ସହାୟତା ମିଳିବା ସହ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ଓ ସୃଜନଶୀଳ କାର୍ଯ୍ୟକ୍ରମ ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆହୁରି ସୁଯୋଗ ସୃଷ୍ଟି କରିପାରିବ। କୃଷିକୁ ଚିରପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ ଓ ଅନ୍ୟ ଜଳବାୟୁଜନିତ ବିପଦକୁ ହ୍ରାସ କରିବା, ମୃତ୍ତିକା ଓ ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦି କ୍ଷେତ୍ରରେ ଆବଶ୍ୟକ ତଥ୍ୟ ବ୍ୟବହାରକୁ ଗେଟ୍‌ସ ଫାଉଣ୍ଡେଶନ ତ୍ୱରାନ୍ବିତ କରିବ ବୋଲି କୁହାଯାଇଛି।

କୃଷି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ, ଗେଟ୍‌ସ ଫାଉଣ୍ଡେଶନ ସହଯୋଗରେ ଆମେ ବିଶ୍ୱର ଶ୍ରେଷ୍ଠ ପଦ୍ଧତି, ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଓ ଅଭିନବ କୌଶଳ ଲାଭ କରିପାରିବୁ। ଏହାଦ୍ୱାରା ଗ୍ରାମୀଣ ଲୋକଙ୍କ ପାଇଁ ସୂଚନା, ଦ୍ରବ୍ୟ, ସେବା ଓ ଭାଗୀଦାରିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ। ବିଲ୍‌ ଓ ମିଲିଣ୍ଡା ଫାଉଣ୍ଡେଶନର ନିର୍ଦ୍ଦେଶକ ଅଲ୍‌କେଶ ୱାଧୱାନୀ କହିଲେ, ଓଡ଼ିଶାର କ୍ଷୁଦ୍ର ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କୁ ଆମେ ସହଯୋଗ ଯୋଗାଇ ଦେବୁ। ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପୱନ କୁମାର ଅଗ୍ରୱାଲ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ବିଭାଗ ତରଫରୁ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଓ ପ୍ରାଣୀସମ୍ପଦ ବିକାଶ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ବିଲ୍‌ ଏବଂ ମିଲିଣ୍ଡା ଫାଉଣ୍ଡେଶନ ତରଫରୁ ଡ. ଅଲକେଶ ୱାଧୱାନୀ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା।