ରାତି ୧୨ ପରେ ଆପେ ଆପେ ଚାଲୁଛି ମୋଟରସାଇକେଲ: ରହସ୍ୟମୟୀ ଘଟଣାର ଭିଡିଓ ସିସିଟିଭିରେ କଏଦ

ଚିତ୍ରକୋଣ୍ଡା,୫।୨(ଡି.ଏନ୍‌.ଏ): ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଚି। ବିନା ଚାଳକରେ ମୋଟରସାଇକେଲଟି ଚାଲିବା ଯେତିକି ରହସ୍ୟମୟ, ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ଏକ ଅଦ୍ଭୁତ ଘଟଣା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ। ଗତ କିଛି ଦିନ ହେବ ଘର ମରାମତି କରୁଥିବାରୁ ନିଜ ମୋଟରସାଇକେଲକୁ ୩ ତାରିଖ ରାତି ୮ଟା ସମୟରେ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ହ୍ୟାଣ୍ଡେଲ ଲକ୍‌ କରି ପାର୍କିଂ କରିଥିଲେ। ୪ ତାରିଖ ସକାଳୁ ଉଠି ଦେଖନ୍ତି ତ ମୋଟରସାଇକେଲଟି କିଛି ଦୂରରେ ପଡିଯାଇଛି। ସେ ପୁଅକୁ ଡାକି ବାଇକ୍‌ଟିକୁ ଉଠାଇବାକୁ କହି ଫୁଲ ତୋଳିବାକୁ ଚାଲି ଯାଇଥିଲେ। ସେହିଦିନ ରାତିରେ ମଧ୍ୟ ବାଇକ୍‌ଟିକୁ ସେଇ ସ୍ଥାନରେ ପାର୍କିଂ କରିଥିଲେ। ପରଦିନ ସକାଳୁ ଉଠି ଦେଖିଲାବେଳକୁ ପୂର୍ବଦିନ ଭଳି ମୋଟରସାଇକେଲଟି ପାର୍କିଂ ଜାଗାରୁ ଅଳ୍ପ ଦୂରରେ ପଡ଼ିରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇଜେ୍‌ସର ମାଲିକ ସୁରେନ୍ଦ୍ରଙ୍କୁ କହିଥିଲେ। କିଏ ଜଣେ ଜାଣିଶୁଣି ଏଭଳି କାମ କରୁଛି ବୋଲି ଭାବି ସୀତରାମ ଏଣ୍ଟରପ୍ରାଇଜେସରେ ଲାଗିଥିବା ସିସିଟିଭି ଦେଖିଥିଲେ। ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହ୍ୟାଣ୍ଡେଲ ଲକ୍‌ ଥିବା ସତ୍ତ୍ୱେ ବିନା ଚାଳକରେ ମୋଟର ସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ୱିତୀୟ ଦିନ ମଧ୍ୟ ମୋଟରସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଭୌତିକ ଘଟଣା ସମ୍ପର୍କରେ ଚାରିଆଡେ ପ୍ରଚାର ହେବା ପରେ ଘଟଣା ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଷୟରେ ଗାଡି ମାଲିକ ସୁରେନ୍ଦ୍ର ଦାସଙ୍କୁ ପଚାରିବାରୁ ଏହା କୌଣସି ଭୂତପ୍ରେତର କାମ ନୁହଁ, ତାଙ୍କ ଉପରେ କେହି ଜଣେ ରାଗ ରଖି ଗୁଣି ଗାରିଡ଼ି କରୁଥିବା ସେ ପ୍ରକାଶ କରିଥିଲେ।