ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ମୃତ ଯୁବକ ହେଲେ ଚଢ଼େଇମରା ଗ୍ରାମର ବୁଦ୍ଧୁରାମ ତପନଙ୍କ ପୁଅ ସମଲ ତପନ। ସେହିପରି ଗୁରୁତର ଆହତ ଯୁବକ ହେଲେ ସେହି ଗ୍ରାମର ଶମ୍ଭୁ ଘଟୁଆଳଙ୍କ ପୁଅ ମିଲୁ ଘଟୁଆଳ।
ସୂଚନା ଅନୁଯାୟୀ, ଉଭୟ ଯୁବକ ସୋମବାର କୌଣସି କାମରେ ଯାଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଦିନ ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ସଂଘାପଶି ଗାଁ ନିକଟରେ ସେମାନେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଫଳରେ ସମଲ ତପନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ମିଲୁ ଘଟୁଆଳଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ କୁଣ୍ଢେଇଗୋଳା ଥାନା ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା। ଏହି ଦୁର୍ଘଟଣାକୁ ନେଇ ଚଢ଼େଇମରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।