ଟଙ୍କା ନ ଦେବାରୁ ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ

ରାଉରକେଲା ଅଫିସ,୩।୭: ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗରେ ସେକ୍ଟର-୭ ଥାନା ପୋଲିସ ତାଙ୍କ ପୁଅଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋନୁ ପ୍ରସାଦ(୩୨)। ତାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୮୧।୨୨) ରୁଜୁ କରିଛି।
ସୂଚନା ଅନୁସାରେ, ସେକ୍ଟର-୭ ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ପଲ୍ଲୀ ବସ୍ତିର ବିଜୟ ପ୍ରସାଦଙ୍କ ପରିବାର ରୁହନ୍ତି। ଶନିବାର ରାତିରେ ସୋନୁ ନିଶାସକ୍ତ ଅବସ୍ଥାରେ ଆସି ମା’ ବିନ୍ଦା ଦେବୀଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ଏତେ ଟଙ୍କା କ’ଣ କରିବୁ ବୋଲି ମା’ ତାକୁ ପଚାରିଥିଲେ। ଏଥିରେ ସୋନୁ ରାଗିଯାଇ ତାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ।