Categories: ଅପରାଧ

୧୨ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଲା ମା; କାହିଁକି ଜାଣନ୍ତୁ

ଭୋପାଳ, ୪।୧୦: ମଧ୍ୟପ୍ରଦେଶର ପନ୍ନା ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲାର ସଲେହା ଥାନା ଅନ୍ତର୍ଗତ ଛିଜୋରା ଗ୍ରାମରେ ଜଣେ ମହିଳା ପୁଅ ଆଶାରେ ନିଜର ୧୨ ଦିନର ନବଜାତ ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ହତ୍ୟା କରିଛି। ଚକିତ କଲା ଭଳି ଏହି ଘଟଣାଟି ଗତ ସେପ୍ଟେମ୍ବର ୨୯ରେ ଘଟିଥିଲା। ମହିଳାଙ୍କ ସ୍ବାମୀ ତାଙ୍କ ୧୨ ଦିନର ଝିଅ ନିଖୋଜ ହେବା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହି ସମୟ ମଧ୍ୟରେ ମହିଳାଜଣଙ୍କ ପୋଲିସ ଓ ପରିବାର ଲୋକଙ୍କୁ ବିଭ୍ରାନ୍ତି କରିବାରେ ଲାଗିଥିଲେ। ତେବେ ଶେଷରେ ଏହି ନିର୍ଦ୍ଦୟ ମା’ ନିଜ ଦୋଷ ସ୍ବୀକାର କରିଥିଲେ। ପୋଲିସ ଶନିବାର ଏହି ମହିଳାଙ୍କୁ ଗିରଫ କରିଛି।
ସ୍ବାମୀ ଦିନେଶ କହିଛନ୍ତି ଯେ, ୨୯ ସେପ୍ଟେମ୍ବର ରାତିରେ ସ୍ତ୍ରୀ ସୁମନ ଓ ୧୨ ଦିନର କନ୍ୟା ସହ ସେ ଏକାଠି ଶୋଇଥିଲେ। ଭୋର ୪ଟା ସମୟରେ ସ୍ତ୍ରୀ ଉଠାଇ ତାଙ୍କୁ କହିଥିଲେ ନିତ୍ୟକର୍ମ ସାରି ଫେରିବା ପରେ ଖଟରେ କନ୍ୟା ନ ଥିବାର ଜାଣିବାକୁ ପାଇଥିଲେ। ପରଦିନ ସ୍ଥାନୀୟ ପୋଲିସରେ ସେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଖୋଜାଖୋଜି କରାଯିବା ପରେ ନିକଟସ୍ଥ ନଦୀରେ ଶିଶୁ କନ୍ୟାର ଶବ ଭାସୁଥିବାର ଦେଖିବାକୁ ମିଳିଥିଲା।
ପକ୍ଷରୁ ଯେତେବେଳେ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା ଅଭିଯୁକ୍ତା ସୁମନ କହିଥିଲେ ସେ ଝିଅ ଜନ୍ମ ହେବାକୁ ନେଇ ଖୁସି ନ ଥିଲେ। ସେ ପୁତ୍ର ସନ୍ତାନ ଚାହୁଁଥିଲେ। ଏହାପରେ ଘଟଣା ଦିନ ରାତିରେ ସେ ଝିଅକୁ ନେଇ ନଦୀରେ ଫିଙ୍ଗି ଦେଇ ପରିବାର ଲୋକଙ୍କୁ ବିଭ୍ରାନ୍ତି କରିଥିଲେ।