Categories: ଜାତୀୟ

ମଦର ଟେରେସାଙ୍କ ଚ୍ୟାରିଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଛି କେନ୍ଦ୍ର

କୋଲକାତା, ୨୭।୧୨: ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ମିଶନାରିଜ୍‌ ଅଫ୍‌ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ଅଚଳ କରିଦେଇଥିବା ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଆକାଉଣ୍ଟ ଅଚଳ ହେବା କାରଣରୁ ମିଶନାରିର ୨୨,୦୦୦ ରୋଗୀ ଏବଂ କର୍ମଚାରୀଙ୍କୁ ଖାଦ୍ୟ ଓ ଔଷଧ ମିଳୁ ନ ଥିବା ସେ କହିଥିଲେ।

ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ମିଶନାରିଜ୍‌ ଅଫ୍‌ ଚ୍ୟାରିଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇନାହିଁ। କେତେକ ସର୍ତ୍ତ ପୂରଣ କରି ନ ଥିବାରୁ ଚ୍ୟାରିଟିର ଏଫ୍‌ସିଆରଏ ନବୀକରଣ ଆବେଦନ ଗତ ୨୫ ତାରିଖରେ ଖାରଜ ହୋଇଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏଫ୍‌ସିଆର୍‌ଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ, ୨୦୧୦) ଏନ୍‌ଜିଓଗୁଡ଼ିକୁ ମିଳୁଥିବା ବିଦେଶୀ ଅନୁଦାନ କାରବାରକୁ ଆଇନଗତ ଅନୁମୋଦନ ପ୍ରଦାନ କରିଥାଏ। ଏଥିରେ କେତେକ ପ୍ରତିକୂଳ ବିବରଣୀ ଥିବା ନଜରକୁ ଆସିବା ପରେ ଚ୍ୟାରିଟିର ଆବେଦନକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଚ୍ୟାରିଟି ସଂଶୋଧିତ ଆବେଦନ କରିନାହଁ। ବରଂ ଆକାଉଣ୍ଟଗୁଡ଼ିକୁ ସ୍ଥଗିତ ରଖିବା ଲାଗି ଚ୍ୟାରିଟି ପକ୍ଷରୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରାଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ବ୍ୟାଙ୍କ ଆକାଉଣ୍ଟ ଅଚଳ ସମ୍ପର୍କରେ ମମତା ଅଭିଯୋଗ ଆଣିବା ପରେ ମିଶନାରିଜ ଅଫ୍‌ ଚ୍ୟାରିଟିର ମୁଖପାତ୍ର ଏହା ଜାଣି ନ ଥିବା କହିଛନ୍ତି। କେନ୍ଦ୍ର ସରକାର ଏ ସମ୍ପର୍କରେ କିଛି ଜଣାଇନାହାନ୍ତି। ବ୍ୟାଙ୍କ କାରବାର ଠିକ୍‌ଠାକ୍‌ ଚାଲିଥିବା ମୁଖପାତ୍ର ସୁନିତା କୁମାର କହିଛନ୍ତି।

Share