ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮:  ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ ମାରାଥନ୍ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି ୪୭ ବର୍ଷୀୟା ରମାବାଇ ରଣବୀର। ମହାରାଷ୍ଟ୍ରର ବୀଡ୍ ଜିଲାର ଅମ୍ବାଜୋଗାଇରେ ‘ଅମୃତ ଦୌଡ଼’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ମାରାଥନ୍‌ରେ ରମାବାଇ ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିଲେ । ବର୍ଷା ଯୋଗୁଁ ରାସ୍ତା କାଦୁଅରେ ଭରିଯାଇଥିଲେ ମଧ୍ୟ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି ବାଧା ଠିଆ ହୋଇପାରିନଥିଲା।

ରମାବାଇ ଦୌଡ଼ ଶେଷ କରି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିବା ସହ ୩ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି । ତାଙ୍କର ଏହି ବିଜୟ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା। ରମାବାଇ କହିଛନ୍ତି, “ଝିଅମାନଙ୍କ ପାଠପଢ଼ା ପାଇଁ ମୋତେ ଯେତେ ବି ସଂଘର୍ଷ କରିବାକୁ ପଡ଼ୁ, ମୁଁ ପଛକୁ ହଟିବି ନାହିଁ।” ଏହି ଦୌଡ଼ ପାଇଁ ସେ କୌଣସି ବିଶେଷ ତାଲିମ ମଧ୍ୟ ନେଇନଥିଲେ। ନିଜ ଝିଅମାନଙ୍କ ଭବିଷ୍ୟତ ପାଇଁ ସେ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଝିଅଙ୍କ ଫି’ ଭରିବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ରମାବାଇ ହିଙ୍ଗୋଲି ଛାଡ଼ି ଅମ୍ବାଜୋଗାଇ ଆସି ନିଜର ଦୁଇ ଝିଅଙ୍କୁ ପାଠ ପଢ଼ାଉଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଛି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅମାନଙ୍କ ପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ ସେ ଏକାଧିକ କଷ୍ଟ କରୁଛନ୍ତି। ଏକାଡେମୀରେ ରୋଷେୟା ଭାବେ କାମ କରି ପରିବାର ଚଳାଉଛନ୍ତି। ତାଙ୍କର ଜଣେ ଝିଅ ବିଏସ୍‌ସି ପଢ଼ୁଥିବା ବେଳେ ଅନ୍ୟ ଝିଅ ପୋଲିସ୍ ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଛନ୍ତି। ନିଜ ଝିଅମାନଙ୍କ ସ୍ୱପ୍ନ ପୂରଣ ପାଇଁ ରମାବାଇଙ୍କ ଏହି ସଂଘର୍ଷ ଏବେ ଅନେକ ମହିଳା ଓ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।

 

Dharitri – Odisha’s No.1 Odia Daily

Share