ପିଲାଙ୍କୁ ମିଳୁନି ପାଣିଟିକେ!

କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ଘଣ୍ଟା ଘଣ୍ଟା ଦିନ ଦିନ ବିମାନ ବନ୍ଦରରେ ଅପେକ୍ଷା କରୁଥିବା ଲୋକଙ୍କ ଗୋଟିଏ ଲକ୍ଷ୍ୟ ଦେଶ ଛାଡି ପଳାଇବା । ତେବେ ବିମାନ ବନ୍ଦରରେ ଫସିଥିବା ଲୋକଙ୍କ ଅବସ୍ଥା ବି ନ କହିବା ଭଲ । ଏମିତି ଜଣେ ଭାରତୀୟ ମହିଳା ନିଜର ୨ ବର୍ଷର ଶିଶୁକୁ ଧରି ବିମାନ ବନ୍ଦରରେ ଅପେକ୍ଷା କରିବା କେତେ ଯେ କଷ୍ଟଦାୟକ ତାହା ବଖାଣିଛନ୍ତି । ଏହି ଭାରତୀୟ ମହିଳାଙ୍କ ମା’ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ୩୨ ବର୍ଷିଆ ଝିଅ ଓ ୨ ବର୍ଷର ନାତିଙ୍କୁ ସୁରକ୍ଷିତ ବାହାର କିରିବାକୁ ଅନୁରୋଧ କରିଛନ୍ତି । ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିବା ମହିଳା ଜଣଙ୍କ କହିଛନ୍ତି ତାଙ୍କୁ କୌଣସି ଜିନିଷ ନ ଆଣି ବିମାନ ବନ୍ଦର ଆସିବାକୁ କୁହାଯାଇଥିଲା । ଭାରତୀୟ ଦୁତାବାସରୁ ଏହି ଖବର ପାଇ ମହିଳା ଜଣଙ୍କ ନିଜ ଶିଶୁଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ବିମାନ ବନ୍ଦର ବାହାରେ ୩ ଦିନ ପର୍ଯ୍ୟନ୍ତ ତାଙ୍କୁ ଏକ ମ୍ୟାରେଜ ହଲରେ ରଖାଯାଇଥିଲା । ଏହାପରେ ରାତି ପ୍ରାୟ ୧୨ଟାରେ ବସ ଯୋଗେ ତାଙ୍କୁ କାବୁଲ ବିମାନ ବନ୍ଦର ନିଆଯାଇଥିଲା । ସେଠାରେ ସେ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ବସରେ ଅପେକ୍ଷା କରିଥିଲେ । ସେ ପର୍ଯ୍ୟନ୍ତ ପିଲାମାନଙ୍କୁ କ୍ଷିର ତ ଦୂରର କଥା ପାଣି ଟିକେ ବି ମିଳି ନ ଥିଲା ବୋଲି ଉକ୍ତ ଭାରତୀୟ ମହିଳା ଜଣଙ୍କ କହିଛନ୍ତି । ଏହାପରେ ଦିଲ୍ଲୀରେ ରହୁଥିବା ତାଙ୍କ ମା’ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବାକୁ ।

Share