Categories: ଜାତୀୟ

ବୋହୂଙ୍କୁ ଶାଶୁ କହିଲେ ମାସକୁ ୧୦ ହଜାର ଟଙ୍କା ନ ଦେଲେ ଘରେ ରଖିବିନି

ଭୋପାଳ,୧୫।୩: ଗ୍ବାଲିଅର ହଜାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କର୍ମଜୀବୀ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶାଶୁ ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ଏଥିସହିତ ମହିଳା ଜଣକ କହିଛନ୍ତି, ତାଙ୍କର ଦୁଇ ଝିଅ ଅଛନ୍ତି। ଏଥିପାଇଁ ତାଙ୍କୁ ଶାଶୁ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ମଧ୍ୟ ଦିଅନ୍ତି। ଆହୁରି ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶାଶୁ କହିଛନ୍ତି ମାସକୁ ୧୦ ହଜାର ଟଙ୍କା ନ ଦେଲେ ମୋ’ ଘରେ ରହି ପାରିବୁ ନାହିଁ। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ମହିଳାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ହଜୀରା ଥାନା ଅଞ୍ଚଳର ସୁମନ ନାମକ ଜଣେ ମହିଳା ରାଧେଗଡ଼ର ଗୁନାରେ ଶିକ୍ଷା ବିଭାଗରେ ଚାକିରି କରିଛନ୍ତି। ସୁମନ ୮ ବର୍ଷ ତଳେ ସତୀଶଙ୍କୁ ବିବାହ କରିଥିଲେ। ଏହା ପରେ ତାଙ୍କର ଦୁଇ ଝିଅ ହୋଇଥିଲେ। ପୁଅ ନ ଥିବାରୁ ଶାଶୁ ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ଘରୁ ବାହାର କରିଦେବାକୁ ବାରମ୍ବାର ଧମକାଉଥିଲେ।

Share