ନନ୍ଦାହାଣ୍ଡି, ୨୦।୭ (ପ୍ରତୀପ କୁମାର ଦାଶ): ଗୋଟିଏ ପରିବାରର ୨ ଜଣଙ୍କୁ ଏକ ସାପ କାମୁଡ଼ି ଦେଇଛି। ଏଥିରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ଥିବା ଜଣାପଡ଼ିଛି। ମୃତକ ହେଲେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ନୂଆଗାଁର ଯାଇକଡି ଗୌଡ଼ (୬୧)। ସାପ କାମୁଡ଼ାରେ ବୋହୂ କେତକୀ (୩୫) ଗୁରୁତର ଥିବାରୁ ତାଙ୍କୁ ଆଇସିୟୂରେ ରଖାଯାଇଛି।
ସୂଚନାନୁଯାୟୀ ନୂଆଗାଁର, ଯାଇକଡି, ତାଙ୍କ ପୁଅ ତ୍ରିନାଥ, ବୋହୁ କେତକୀ ଓ ନାତି ବାଦଲ ରବିବାର ରାତିରେ ଶୋଇଥିଲେ। ହଠାତ୍ କିଏ କାମୁଡ଼ିଥିବା ଅନୁଭବ କରି ଯାଇକଡ଼ି ଉଠି ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ପରେ ତାଙ୍କ ବୋହୂ କେତକୀଙ୍କ ଜଙ୍ଘ ଓ ହାତରେ ମଧ୍ୟ ସମାନଭାବେ କାମୁଡ଼ା ଚିହ୍ନ ଥିଲା। ଏହାପରେ ତ୍ରିନାଥ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସାପ କିମ୍ବା ବିଷାକ୍ତ ଜନ୍ତୁକୁ ଠାବ କରିପାରି ନ ଥିଲେ। ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚତ୍ବାର ପ୍ରାୟ ୧୦ ମିନିଟ୍ ମଧ୍ୟରେ ଯାଇକଡ଼ିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
କେତକୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପ୍ରାଥମିକ ସୂଚନା ଅନୁସାରେ ଉଭୟଙ୍କୁ ଇଣ୍ଡିଆନ୍ କ୍ରେଟ୍ (ଆଞ୍ଚଳିକ ଭାଷାରେ କଲାଟି ସାପ) କାମୁଡ଼ିଥିବା ସନ୍ଦେହ କରାଯାଉଛି। ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦିଆଯାଇଛି। କେସ୍ ନଂ. ୭/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଦାୟିତ୍ୱ ଏଏସ୍ଆଇ ଭରତ ମାଝୀ ନେଇଛନ୍ତି। ସୋମବାର ଅପରାହ୍ନରେ ଯାଇକଡିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ କ୍ଷେମରାଜ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସଂଗ୍ରହ ସହ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ସାପ କାମୁଡାରେ ମୃତ୍ୟୁ ହୋଇଥିବା ପ୍ରମାଣ ହେଲେ ସରକାରୀ ଯୋଜନା ପ୍ରକାରେ ପରିବାରବର୍ଗଙ୍କୁ କ୍ଷତିପୂରଣ ଭାବେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନନ୍ଦାହାଣ୍ଡି ତହସିଲଦାର ସୂଚନା ଦେଇଛନ୍ତି।