ପ୍ରସବ ଯନ୍ତ୍ରଣାରେ ଛଟପଟ ମା’: ଆମ୍ବୁଲାନ୍ସ ରେ ଜନ୍ମ ହେଲା ଛୁଆ, ସୁରକ୍ଷିତ ପ୍ରସବ କରାଇ ପ୍ରଶଂସା ସାଉଁଟିଲେ…

ଦିଗପହଣ୍ଡି,୨୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜନଜାତି ବହୁଳ ଟି. ଗୋବିନ୍ଦପୁର ପଞ୍ଚାୟତ ଗୁହାରିଖୋଲ ଗାଁ ର ଲକ୍ଷ୍ମଣ ଗମାଙ୍ଗଙ୍କ ଗର୍ଭବତୀ ସ୍ତ୍ରୀ  ସସ୍ମିତା ଗମାଙ୍ଗ(୨୫) ରବିବାର  ରାତି ପ୍ରାୟ ସାଢେ ୯ ଟାରେ ଘର ଭିତରେ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ନିକଟସ୍ଥ ପୋଡ଼ାମାରି ହସ୍ପିଟାଲରେ ଥିବା ଆମ୍ବୁଲାନ୍ସଟି କିଛି ସମୟ ପରେ ଗାଁରେ ପହଞ୍ଚିଥିଲା। ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସହାୟତାରେ ପରିବାର ଲୋକେ ସସ୍ମିତାଙ୍କୁ ଆମ୍ବୁଲାନ୍ସ ମଧ୍ୟକୁ ଟେକି ନେଇଥିଲେ। ସେତେବେଳକୁ ସସ୍ମିତା ପ୍ରସବ ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଥିଲେ।ଆମ୍ବୁଲାନ୍ସ ଡ୍ୟୁଟି ରେ ଥିବା ଫାର୍ମାସିଷ୍ଟ ସନ୍ତୋଷ କୁମାର ମହାଙ୍କୁଡ଼  ସସ୍ମିତା ଙ୍କ ସମ୍ପର୍କୀୟ ମହିଳା ମାନଙ୍କ ଉପସ୍ଥିତିରେ ସାହସିକତା ର ସହ ଆମ୍ବୁଲାନ୍ସ ଭିତରେ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ପୁତ୍ର ସନ୍ତାନ ଜନ୍ମ ହେବାପରେ  ପ୍ରସୂତି ସସ୍ମିତା ଓ ନବଜାତ ପୁତ୍ରଙ୍କୁ ନିକଟସ୍ଥ ଡେଙ୍ଗାଓସ୍ତା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉଭୟ ପ୍ରସୂତି ଓ ନବଜାତ ଙ୍କ ଆଶୁ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Share