ରଶି ଲଗାଇ ଝୁଲିପଡ଼ିଲେ ମା’: ହାତ ଧରି ରାତିସାରା ଛିଡା ହୋଇଛି କଅଁଳ ଶିଶୁ

ଭବାନୀପାଟଣା,୬।୧୧(ସ୍ବ.ପ୍ର): କଅଁଳ ଶିଶୁର ବୟସ ମାତ୍ର ୨ ବର୍ଷ। ଦୁନିଆ କ’ଣ ଜାଣିବା ଆଗରୁ ତା’ ଆଗରେ ଅଜାଡ଼ି ହୋଇପଡ଼ିଛି ସବୁତକ ଦୁଃଖ। ନିଜର ବୋଲି କେବଳ ମା’କୁ ଚିହ୍ନିଥିବା ବେଳେ ମା’ ବି ପର କରି ଆରପାରିକୁ ଚାଲିଗଲେ। ହେଲେ ନିଷ୍ପାପ ଶିଶୁ କିଛି ବୁଝିପାରୁନି। ମା’ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମା’ ହାତ ଧରି ରାତି ସାରା ଛିଡ଼ା ହୋଇଛି କଅଁଳ ଶିଶୁଟି। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣାରେ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ରମ୍ଭା ରାଉତ ନାମ୍ନୀ ଜଣେ ମହିଳା ପ୍ରାୟ ୬ ମାସ ହେବ ଭବାନୀପାଟଣାର ଦର୍ପଣ ସାଗରପଡ଼ାରେ ଭଡ଼ାଘରେ ନିଜ ୨ ବର୍ଷର ପୁଅ ସହ ରହୁଥିଲେ। ରମ୍ଭାଙ୍କ ସ୍ବମୀଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ।

ହେଲେ ଶୁକ୍ରବାର ରାତିରେ ରମ୍ଭା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କୁନି ପିଲାଟି କିଛି ଜାଣି ନ ଥିବା ବେଳେ ମା’ର ହାତ ଧରି ଛିଡ଼ା ହୋଇଛି। ହେଲେ ମା’ ଓ ବୋଲି କହୁନି କି ଶୁଶୁଟି ତା ହାତ ଛାଡ଼ି କୁଆଡେବି ଯାଉନି। ଶନିବାର ସକାଳେ ରମ୍ଭା କବାଟ ନ ଖୋଲିବାରୁ ସନ୍ଦେହରେ ପଡ଼ୋଶୀ ପୋଲିସଙ୍କୁ ଫୋନ କଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲାଞ୍ଜିଗଡ଼ରେ ଥିବା ରମ୍ଭାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି।

ଅନ୍ୟପକ୍ଷରେ,ରମ୍ଭାଙ୍କ ଆତ୍ମହତ୍ୟାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ସେ ଭବାନୀପାଟଣାରେ କ’ଣ ପାଇଁ ରହୁଥିଲେ, ତାଙ୍କ ସ୍ବାମୀ କେଉଁଠି ଓ ସେ କ’ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।