ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା ଥାନା ଦିବ୍ୟସିଂପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ଆଜି ଦିବ୍ୟସିଂପୁର ଗ୍ରାମ ଅନ୍ବଷୋ ହଷ୍ଟେଲ ନିକଟରେ ଥିବା କେନାଲରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପାଖକୁ ଯିବାରୁ ନିକଟରେ ଥିବା ଏକ ଘରୁ ଦୁର୍ଗନ୍ଧ ଆସିଥିଲା। ଯାହାକି ଘର ଭିତରେ ଆଉ ଏକ ମୃତଦେହ ଗଳିତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ମୃତକ ହେଲେ ସେହି ଭଙ୍ଗା ଦଦରା ଘରେ ରହୁଥିବା ଫୁଲମଣି ହେମ୍ବ୍ରମ ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳିକା ଝିଅ। ଘର ଭିତରେ ମଶାରୀ ଭିତରେ ଫୁଲମଣିଙ୍କ ମୃତଦେହ ପଡ଼ିଥିବା ବେଳେ ଘର ବାହାର କେନାଲରେ ପଡିଛି ଦିବ୍ୟାଙ୍ଗ ନାବାଳିକାର ମୃତଦେହ। ତେବେ ଘର ଭିତର ଅସଜଡ଼ା ଅବସ୍ଥାରେ ପଡ଼ିଥିବା ବେଳେ ପୂର୍ବରୁ ମୃତକ ଫୁଲମଣିଙ୍କର ଜମିବାଡ଼ି ବିବାଦ ରହିଥିଲା। ଏହା ସହିତ ଗତ ମେ’ ମାସରେ କୁକୁର ପାଇଁ ଫୁଲମଣିଙ୍କ ଦିବ୍ୟାଙ୍ଗ ଝିଅ ଏବଂ ମା’କୁ ଗ୍ରାମବାସୀ ଆକ୍ରମଣ କରିଥିଲେ ଏବଂ ଘଟଣା ଥାନାରେ ପହଞ୍ଚିଥିଲା। ତେଣୁ କେହି ଅତି ବିଭତ୍ସ ଭାବେ ମା’ ଝିଅକୁ ହତ୍ୟା କରାଯାଇଥିବା କୁହାଯାଉଛି। ପାରିପାର୍ଶିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।