Categories: ଜାତୀୟ

୫ ମାସର ପୁଅକୁ ହତ୍ୟା କରି ଲୁଚାଇଥିଲେ ପାଣି ଭର୍ତ୍ତି ଡ୍ରମ ଭିତରେ

ଥାଣେ,୨୬।୧୨: ମହାରାଷ୍ଟ୍ରର ଥାଣେ ଜିଲାର କାଲଓ୍ବା ଅଞ୍ଚଳରେ ପାଣି ଭର୍ତ୍ତି ଡ୍ରମ ଭିତରୁ ମିଳିଛି ୫ ମାସର ପୁଅର ମୃତଦେହ। ଏହି ଘଟଣାରେ ରବିବାର ଶିଶୁପୁତ୍ରର ମା’ଙ୍କୁ ହତ୍ୟା ଓ ପ୍ରମାଣ ଲୁଚାଇବା ଅପରାଧରେ ଗିରଫ କରାଯାଇଛି।

ମହାତ୍ମା ଫୁଲେ ନଗର ଅଞ୍ଚଳରେ ଘରୁ ୫ ମାସ ପୁଅକୁ ଶୁକ୍ରବାର ଅପରାହ୍ନରେ କେହି ଅପହରଣ କରି ନେଇଥିବା ପୋଲିସରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ବିଭିନ୍ନ ଟିମ୍‌ ଗଠନ କରିଥିଲା ସ୍ଥାନୀୟ ପୋଲିସ। କିନ୍ତୁ ଶନିବାର ସକାଳେ ଘରର ପାଣି ଭର୍ତ୍ତି ଏକ ପ୍ଲାଷ୍ଟିକ୍‌ ଡ୍ରମରୁ ମିଳିଥିଲା ଶିଶୁପୁତ୍ରର ମୃତଦେହ।

“ଆମେ ସେହି ଅଞ୍ଚଳର ସିସିଟିଭି ଚେକ୍‌ କରିବା ସହ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲୁ। ଏଥିରୁ ଶିଶୁପୁତ୍ରର ସ୍ବାସ୍ଥ୍ୟବସ୍ଥା ଭଲ ରହୁ ନ ଥିବା ଜଣାପଡ଼ିଥିଲା। ପୁଅକୁ ମା’ ଶାନ୍ତାବାଇ ଚୌହ୍ବାନ ନିୟମିତ ଔଷଧ ଦିଅନ୍ତି। କିନ୍ତୁ ଶୁକ୍ରବାର ସେ ଭୁଲବଶତଃ ଛୁଆକୁ ଅଧିକ ଡୋଜ ଦେଇଥିଲେ, ଯାହା ଫଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏଣୁ ସେ ପୁଅର ମୃତଦେହକୁ ଡ୍ରମରେ ଲୁଚାଇ ଅପହରଣ ନାଟକ କରିଥିଲେ। ପୋଲିସ ଆଗରେ ଅଭିଯୁକ୍ତା ଶାନ୍ତାବାଇ ଏହା ସ୍ବୀକାର କରିଛନ୍ତି” ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଭେଙ୍କଟ ଆଣ୍ଡାଲେ କହିଛନ୍ତି।

Share