ଚାଲିଗଲା ପ୍ରସୂତି ମା’ ଶିଶୁଙ୍କ ଜୀବନ

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସରକାର ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ହସ୍ପିଟାଲରେ ଉଚିତ ଚିକିତ୍ସା ନ ପାଇ ଅନେକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରସୂତି ମହିଳା ଏବଂ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିନ୍ଦୂରପୁର ପଞ୍ଚାୟତ ମଣିଗା ଗାମର ବିକ୍ରମ ପେରାଙ୍କ ସ୍ତ୍ରୀ ଦୀପ୍ତି ପେରା(୨୫) ଏବଂ ତାଙ୍କର ନବଜାତ ଶିଶୁପୁତ୍ର। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ମୁତାବକ, ବିକ୍ରମଙ୍କ ସ୍ତ୍ରୀ ଦୀପ୍ତିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୮ ତାରିଖରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପରେ ସୋନପୁରସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ପୁଣି ମହିଳାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ତାଙ୍କୁ ଶୁକ୍ରବାର ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଦୀପ୍ତି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ହେଲେ ଶିଶୁଟିର ମୃତ୍ୟୁ ପରେ ମା’ ଦୀପ୍ତିଙ୍କ ମଧ୍ୟ ମୃତ୍ର ଘଟିଥିଲା।

ବିନିକା ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ପ୍ରସବ ପାଇଁ ନିର୍ଦ୍ଧାରିତ ତାରିଖ ମାର୍ଚ୍ଚ ୧୪ ଥିଲା। କିନ୍ତୁ ଏହାର ଏକମାସରୁ ଅଧିକ ସମୟ ପୂର୍ବରୁ ଛୁଆ ଜନ୍ମ ହୋଇଛି। ଦୀପ୍ତିଙ୍କ ରକ୍ତ କମ୍‌ ରହୁଥିବାରୁ ତାଙ୍କୁ ଆଇରନ ବଟିକା ଦିଆଯାଉଥିଲା। ବର୍ତ୍ତମାନ ମୃତକ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ।