ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକରେ ଅଧିକ ଆଫ୍ରିକୀୟ ଦେଶ ହୋଇଛନ୍ତି ସାମିଲ…

ଜେନେଭା,୨୦।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ହେବା ପରେ ବୈଠକରେ ଏପର୍ଯ୍ୟନ୍ତ ଆଫ୍ରିକୀୟ ଦେଶମାନେ ସର୍ବାଧିକ ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା, ମରିସସ, ଇଜିପ୍ଟ, ନାଇଜେରିଆ, ଆଫ୍ରିକୀୟ ୟୁନିଅନର ସଦସ୍ୟ ଦେଶ, ଆଫ୍ରିକୀୟ ୟୁନିଅନ ବିକାଶ ଏଜେନ୍ସି ଆଦି ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ରୁଚିରା କାମ୍ବୋଜ କହିଛନ୍ତି ଭାରତ ଦକ୍ଷିଣ ତଥା ବିକାଶଶୀଳ ଦେଶର ସ୍ବର ଉତ୍ତୋଳନ କରିଛି। ଜାନୁଆରୀ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗ୍ଲୋବାଲ ସାଉଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ୧୮ଟି ଦେଶର ମୁଖ୍ୟ ତଥା ଅନ୍ୟ ମନ୍ତ୍ରୀ ସ୍ତରୀୟ ଅଧିକାରୀଙ୍କ ସମେତ ୧୨୫ଟି ଦେଶର ପ୍ରତିନିଧୀ ଯୋଗ ଦେଇଥିଲେ।

ମିଳିତ ଜାତିସଂଘକୁ ସୂଚନା ଦେଇ କାମ୍ବୋଜ କହିଛନ୍ତି୧୭ ଏପ୍ରିଲରେ ଭାରତର ଅଧ୍ୟକ୍ଷତାରେ ୧୦୦ତମ ଜି -୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବାରାଣାସୀରେ ଆୟୋଜିତ କୃଷି ମୁଖ୍ୟ ବୈଜ୍ଞାନିକମାନଙ୍କର ଥିଲା। ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଧାରଣାକୁ ସ୍ବୀକୃତି ଦେଇ ଭାରତ ଜି-୨୦ ମାଧ୍ୟମରେ ଏକ ବୁଝାମଣା ବିକାଶ କରିବାକୁ ଚାହୁଁଛି ଯାହା ବିଶ୍ୱର ଆହ୍ବାନର ମୁକାବିଲା କରିପାରିବ।

Share