Categories: ଜାତୀୟ

ଅମିତ ଶାହାଙ୍କୁ ଭେଟିଲେ ଅଜୟ: ପଦ ଯିବା ଆଶଙ୍କା

ନୂଆଦିଲ୍ଲୀ,୬।୧୦: କେନ୍ଦ୍ର ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅଜୟ ମିଶ୍ରା ବୁଧବାର ଅପରାହ୍ନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରିରେ ଘଟିଥିବା ଘଟଣା ସମ୍ପର୍କରେ ଶାହା ଅଜୟଙ୍କୁ ଡକାଇଛନ୍ତି। ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ନାଁରେ ଅଭିଯୋଗ ହୋଇଛି ଯେ ଆନ୍ଦୋଳନରତ ଚାଷୀଙ୍କ ଉପରେ କାର୍‌ ଚଢାଇଦେଇଥିଲେ। ଏହି ଘଟଣାରେ ଭାଜପା ମନ୍ତ୍ରୀଙ୍କ ପରିବାରର ନାମ ପଦାକୁ ଆସିବା ପରେ ହାଇକମାଣ୍ଡ ତାଙ୍କ ଉପରେ ଅସନ୍ତୁଷ୍ଟ କୁହାଯାଉଛି।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତେବେ ଅଜୟ ମିଶ୍ର କୃଷକ ସଂଗଠନର ଦାବିକୁ ବିରୋଧ କରି କହିଛନ୍ତି ଯେ ତାଙ୍କ ପୁଅ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ପ୍ରମାଣ ଅଛି ଯେ ଆଶିଷ ସେହି ସମୟରେ ଏକ ଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ।

Share