Categories: ଖେଳ

ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମୋରିସ

ମୁମ୍ବାଇ,୧୫।୪ : ଚଳିତ ସପ୍ତାହରେ ଆଇପିଏଲରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରୋମାଞ୍ଚକ ମ୍ୟାଚ୍‌। ପୂର୍ବ ୩ ଦିନ ଭଳି ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ମିଳି ନ ଥିଲା ଜିତିବା ସୁଖ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଧାର୍ଯ୍ୟ ୧୪୮ ରନ୍‌ର ଟାର୍ଗେଟ ହାସଲ କରିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ରାଜସ୍ଥାନ ରୟାଲ୍ସ। କିନ୍ତୁ ଶେଷକୁ ନିର୍ଣ୍ଣାୟକ ସାଜିଲା କ୍ରିସ ମୋରିସଙ୍କ ବିସ୍ଫୋରକ ୩୬ ରନ୍‌ର ଇନିଂସ। ତାଙ୍କ ଯୋଗୁ ୩ ଉଇକେଟରେ ବିଜୟ ହାସଲ କଲା ରାଜସ୍ଥାନ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳର ବ୍ୟାଟିଂ ଲାଇନଅପ୍‌କୁ ବିଗାଡ଼ି ଦେଇଥିଲେ ଜୟଦେବ ଉନାଡ୍‌କଟ। ସେ ୩ ଉଇକେଟ ହାତେଇଥିଲେ। ଅଧିନାୟକ ପନ୍ତ (୫୧ ରନ୍‌, ୯ ଚୌକା) ଖେଳିଥିଲେ ଅର୍ଦ୍ଧଶତକୀୟ ପାଳି। ସେ ରନ୍‌ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ରାଜସ୍ଥାନ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ୮ ଉଇକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ।

ଜବାବରେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ। ଏପରି କି ୧୨ ଓଭର ସୁଦ୍ଧା ରାଜସ୍ଥାନ ୫ ଉଇକେଟ ହରାଇ ମାତ୍ର ୫୮ ରନ୍‌ କରିଥିଲା। ଲାଗୁଥିଲା ଦଳ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଛି। କିନ୍ତୁ ୧୩ ଓ ୧୪ ତମ ଓଭରରେ ଦଳୀୟ ସ୍କୋରରେ ୨୬ ରନ୍‌ ଯୋଡ଼ିଥିଲେ ଡେଭିଡ୍‌ ମିଲର ଓ ରାହୁଲ ତଓ୍ବେତିଆ। ମାତ୍ର ଏହି ଯୋଡ଼ିକୁ ୧୫ତମ ଓଭରରେ କାଗିସୋ ରବାଡା ଭାଙ୍ଗିଥିଲେ। ତଓ୍ବେତିଆ (୧୯) ଆଉଟ୍‌ ହେବା ପରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ ମିଲର। ୧୬ତମ ଓଭରରେ ଅଭେସ ଖାନଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ତୃତୀୟ ଛକା ମାରିବାକୁ ଯାଉ ଆଉଟ୍‌ ହୋଇଥିଲେ ମିଲର (୬୨)। ଏହାପରେ ପ୍ରତ୍ୟେକ ରନ୍‌ ପାଇଁ ସଂଘର୍ଷ କରିଥିଲେ ଜୟଦେବ ଉନାଡ୍‌କଟ ଓ କ୍ରିସ ମୋରିସ। ଅନ୍ତିମ ଦୁଇ ଓଭରରେ ଦଳକୁ ଜିତିବା ପାଇଁ ୧୨ ବଲରେ ଦରକାର ଥିଲା ୨୭ ରନ୍‌। ମୋରିସ ଏକାକୀ ଦିଲ୍ଲୀ ହାତରୁ ଛଡ଼ାଇ ଆଣିଥିଲେ ମ୍ୟାଚ୍‌। ମାତ୍ର ୧୮ ବଲରେ ୪ ଛକା ସହାୟତାରେ ସେ ଖେଳିଥିଲେ ବିସ୍ଫୋରକ ୩୬ ରନ୍‌ର ଇନିଂସ।

Share