ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାରରୁ ଅଧିକ ଟଙ୍କା ଗାଏବ

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅମୃତୁଳୁ ପଞ୍ଚାୟତ ବାଲିଘାଇ ଗ୍ରାମର ଗରିବ ଦିନମଜୁରିଆ ତଥା ଗାଁକୁ ଗାଁ ବୁଲି ମାଛ ବିକି ପେଟ ପୋଷୁଥିବା ପ୍ରତିମା ବେହେରାଙ୍କ ସୋରଡ଼ା ଶାଖା ଏସ୍‌ବିଆଇ ଆକାଉଣ୍ଟ ନଂ. (୩୦୩୩୧୧୯୫୪୯୯)ରୁ ୪୦୦୦୦ରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ଛି। ୧୮ା୮ା୨୦୨୧/ଠାରୁ ୨୪ ା୦୮ା୨୦୨୧ ମଧ୍ୟରେ ୨୦୦୦୦ ଟଙ୍କାର ପେଟ୍ରୋଲ ପକାଯାଇଥିବା ଓ ଫ୍ଲିପକାର୍ଟରୁ ଅନଲାଇନ୍‌ ଜିନିଷ କିଣାଯାଇଥିବା ଆକାଉଣ୍ଟ ବିବରଣୀରୁ ଜଣାପଡୁଛି। ଉକ୍ତ ଅର୍ଥ ପ୍ରତିମା ବହୁ କଷ୍ଟରେ ଜମା କରିଥିବା ବେଳେ ହଠାତ୍‌ ଏତେ ଟଙ୍କା ଗାଏବ ହୋଇଯିବା ନେଇ ସେ ବର୍ଷେ ହେଲା ବ୍ୟାଙ୍କକୁ ବାରମ୍ବାର ସମାଧାନ ପାଇଁ ଯାଉଥିବା ବେଳେ କେହି ଶୁଣୁନାହାନ୍ତି। ସମସ୍ତ ଟଙ୍କା ଇଣ୍ଟରନେଟ୍‌ ଟ୍ରାଞ୍ଜାକ୍ସନ ମାଧ୍ୟମରେ ଯାଇଥିବା ଜଣାପଡ଼ିଛି। ପାଠ ପଢ଼ି ନ ଥିବା ପ୍ରତିମା କେବେ ଇଣ୍ଟରନେଟ୍‌ ବ୍ୟବହାର କରିନାହାନ୍ତି କିମ୍ବା ତାଙ୍କ ପରିବାର ଲୋକ କେବେ ପେଟ୍ରୋଲ ମଧ୍ୟ କିଣି ନାହାନ୍ତି। ଫ୍ଲିପ୍‌କାର୍ଟ କ’ଣ ମଧ୍ୟ ଜାଣନ୍ତି ନାହିଁ। ଖାତାରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବର ମଧ୍ୟ ତାଙ୍କର ନାହିଁ। କିଏ ଏପରି କରିଛି ଜଣାପଡୁ ନ ଥିଲେ ମଧ୍ୟ ଅନ୍‌ଲାଇନ୍‌ କିଣା ସଂସ୍ଥା ଫ୍ଲିପ୍‌କାର୍ଟକୁ ଯୋଗାଯୋଗ କରି କେଉଁ ଲୋକର ଆଇଡିରୁ ଉକ୍ତ ତାରିଖରେ ଏହି ଆକାଉଣ୍ଟରୁ ଅର୍ଥ ପଇଠ କରାଯାଇଛି ଓ କାହା ନାମରେ ପାର୍ଶଲ ଆସିଛି ଖୋଜିଲେ ଠକେଇର ପର୍ଦ୍ଦାଫାଶ ହେବା ସମ୍ଭବ ବୋଲି ଆଲୋଚନା ହେଉଛି। ଏପଟେ ପ୍ରତିମା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ଦୀର୍ଘଦିନ ହେଲା ପ୍ରତିମା ପ୍ରତିଦିନ ନିଜ ଗ୍ରାମ ବଳିଘାଇରୁ ଚାଲିଚାଲି ୫ କିଲୋମିଟର ସୋରଡ଼ା ଆସୁଛନ୍ତି ସମସ୍ତଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇ ଫେରୁଛନ୍ତି।