କୋଟିଏରୁ ଅଧିକ ପାଲଟିଲେ ଶରଣାର୍ଥୀ…

କ୍ୱିଭ୍‌,୨୧।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ସଙ୍କଔ ଜନକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟର ଅଭାବ ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁକ୍ରେନବାସୀ ନିଜ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର୍‌ କହିଛନ୍ତି ଯେ ଇତିମଧ୍ୟରେ ୧ କୋଟିରୁ ଅଧିକ ୟୁକ୍ରେନବାସୀ ପଡ଼ୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି।

ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସିର ମୁଖ୍ୟ ଫିଲିପ୍ପୋ ଗ୍ରାଣ୍ଡି କହିଛନ୍ତି ଯେ ଭୋକ ଶୋଷ ଏବଂ ଜୀବନ ଭୟରେ ୟୁକ୍ରେନବାସୀ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ୟୁକ୍ରେନ୍‌ର ପ୍ରାୟ ଦୁଇ-ତୃତୀୟାଂଶ ଶରଣାର୍ଥୀ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ୨.୦୫ ନିୟୁତ ହେବ। ପ୍ରାୟ ୧୮୦,୦୦୦ ଲୋକ ରୁଷିଆରେ ଥିବା କୁହାଯାଉଛି।

ଅନ୍ତର୍ଜାତୀୟ ସ୍ଥାନାନ୍ତରଣ ସଂଗଠନ କହିଛି ଯେ ୟୁକ୍ରେନର ଆଭ୍ୟନ୍ତରରେ ବିସ୍ଥାପିତଙ୍କ ସଂଖ୍ୟା ୬.୪୮ ନିୟୁତରୁ ଅଧିକ ରହିଛି।

ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ମାଇଗ୍ରେଶନ (ଆଇଓଏମ)ର ଆକଳନରୁ ଜଣାପଡିଛି ଯେ ଗତ ତିନି ସପ୍ତାହ ମଧ୍ୟରେ ୟୁକ୍ରେନ ବିସ୍ଥାପନ ମାମଲାରେ ସିରିଆକୁ ଅତିକ୍ରମ କରିଛି। ୨୦୧୦ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସିରିଆର ୧୩ ମିଲିୟନରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି କିମ୍ବା ଦେଶ ଛାଡିଛନ୍ତି। ମିଳିତ ଜାତିସଂଘ ଏଜେନ୍ସିର ଏହି ଆକଳନ ରିପୋର୍ଟ ପ୍ରକାଶିତ ହୋଇଛି।

ୟୁକ୍ରେନର ମାରିଅପୋଲ ସିଟି ପରିଷଦ ଦାବି କରିଛି ଯେ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆକୁ ନିଆଯାଉଛି। ଜଣେ ଆଇନଜୀବୀ ଦାବି କରିଛନ୍ତି ଯେ ୟୁକ୍ରେନ୍‌ ନାଗରିକଙ୍କୁ ଜୋରଜବରଦସ୍ତ ରୁଷିଆର ଦୁର୍ଗମ ଅଞ୍ଚଳରେ କାମ କରିବାକୁ ବାଧ୍ୟ କରାଯାଉଛି।

ନଗର ପରିଷଦ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦଖଲକାରୀମାନେ ୟୁକ୍ରେନରୁ ଲୋକଙ୍କୁ ରୁଷିଆକୁ ଯିବାକୁ ଡରଭୟ ଦେଖାଉଛନ୍ତି। ଗତ ସପ୍ତାହରେ ବହୁ ମାରିଅପୋଲ ବାସିନ୍ଦା ରୁଷିଆର ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରଣ ହୋଇଛନ୍ତି।

Share