ମାସ୍କ ପିନ୍ଧି ନ ଥିବା ୪୦୪ ଜଣଙ୍କ ଠାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୭।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଶୁକ୍ରବାର ସକାଳୁ ଶନିବାର ସକାଳ ୬ଟା ସୁଦ୍ଧା ଜିଲା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକଗୁଡ଼ିକରେ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ୪୦୪ ଜଣ ଅମାନିଆଙ୍କଠାରୁ ୮୦ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୭୯ ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ୮୯ ହଜାର ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
୫ଟି ଅବକାରୀ ମାମଲାରେ ୭ ଅଭିଯୁକ୍ତଙ୍କୁ ବେଆଇନ ମଦ ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪୦୧ ଲିଟର ମଦ ଜବତ କରାଯାଇଛି । ସେହିପରି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ଅଯଥାରେ ବାହାରେ ବୁଲୁଥିବା ୨ ଜଣ ଲୋକଙ୍କ ବିରୋଧରେ ପୋଲିସ ପି.ଆର ରିପୋର୍ଟ ଦେଇଛି। ଏ ନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଟୁଇଟ ଜରିଆରେ ଶନିବାର ସୂଚନା ଦେଇଛନ୍ତି ।