ବର୍ଷକୁ ପ୍ରଦୂଷଣରେ ୭ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର, ୮।୪ (ବ୍ୟୁରୋ): ରୋଗମୁକ୍ତ, ସୁସ୍ଥ ଜୀବନଯାପନ କରିବା ସମସ୍ତଙ୍କର ସ୍ବପ୍ନ। ମାତ୍ର ବିଭିନ୍ନ ପ୍ରଦୂଷଣର ପରିଣାମ ସ୍ବରୂପ, ଆମେ ବିବିଧ ସ୍ବାସ୍ଥ୍ୟ ସମସ୍ୟା ଏବଂ ରୋଗର ସମ୍ମୁଖୀନ ହେଉଛୁ। ଦୁନିଆର ପ୍ରତି ୧୦ଜଣଙ୍କ ମଧ୍ୟରୁ ୯ଜଣ ପ୍ରଦୂଷିତ ବାୟୁକୁ ନିଃଶ୍ୱାସରେ ଗ୍ରହଣ କରୁଛନ୍ତି। ସେହିପରି ପ୍ରତିବର୍ଷ ବିଶ୍ୱରେ ୭ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ପାଇଁ ଏପରି ପ୍ରଦୂଷଣ ସିଧାସଳଖ ଦାୟୀ। ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ପ୍ରକାଶ ଯେ, ୨୦୧୯ରେ ପ୍ରାୟ ୨୩ ଲକ୍ଷ ଲୋକଙ୍କ ଅକାଳ, ପ୍ରଦୂଷଣଜନିତ ମୃତ୍ୟୁ ସହ ଭାରତ ବିଶ୍ୱର ଶୀର୍ଷରେ ରହିଥିଲା। ଏଥିମଧ୍ୟରୁ ପ୍ରାୟ ୧୨.୪ ଲକ୍ଷ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣରୁ ଘଟିଛି ବୋଲି ମତ ପ୍ରକାଶ ପାଇଛି।
ପରିବେଶ ସମିତି ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭେଷଜ ବିଶେଷଜ୍ଞ ତଥା କର କ୍ଲିନିକ ଓ ହସ୍ପିଟାଲର ଡା. ନୀରୋଜ କୁମାର ମିଶ୍ର ଯୋଗଦେଇ, ବର୍ତ୍ତମାନର ସ୍ବାସ୍ଥ୍ୟ ପରିସ୍ଥିତି ଏକ ଦୁଃଖଦ ଚିତ୍ର ଉପସ୍ଥାପନ କରୁଛି ବୋଲି ଚିନ୍ତା ପ୍ରକଟ କରିଥିଲେ। ଓଇଏସ ଉପସଭାପତି ଡ. ବିଜୟ କେତନ ପଟ୍ଟନାୟକ ଅଧ୍ୟକ୍ଷତା କରି ସ୍ବାସ୍ଥ୍ୟ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା, ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଏବଂ ପରିବେଶର ସୁରକ୍ଷା ପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜ୍ଞାନ କେନ୍ଦ୍ରର ସଂଯୋଜକ ଇଂ. ସୌମେନ ଘୋଷ କହିଲେ, ଯେ ପର୍ଯ୍ୟନ୍ତ ପ୍ରକୃତିର ଉପଯୁକ୍ତ ଯତ୍ନ ନିଆଯିବ ସେ ପର୍ଯ୍ୟନ୍ତ ମାନବଜାତି ପୃଥିବୀପୃଷ୍ଠରେ ତିଷ୍ଠି ରହିବ। ଓଇଏସ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ଉପସଭାପତି ଡ. ଲାଲା ଏ.କେ. ସିଂହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।