ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ୟୁନିଟ-୬ ସ୍ଥିତ ‘ଶଙ୍ଖ ଭବନ’ଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚ ଝୁନୁ ଶବର, ୱାର୍ଡ ମେମ୍ବର ଏବଂ ୬୦ରୁ ଊଦ୍ଧର୍ବ ସକ୍ରିୟ କର୍ମୀ ବିଜେଡିର ଶଙ୍ଖ ଧରିଛନ୍ତି। ଏହି ଅବସରରେ ରାଜ୍ୟ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।
ଦଳରେ ସାମିଲ ହୋଇଥିବା କର୍ମୀ ଓ ନେତାମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଭାଜପାରେ ଥାଇ ମଧ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନ ଥିବାରୁ ସେମାନେ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ନବୀନ ସରକାରଙ୍କ ଅମଳରେ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚୁଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, ବ୍ଲକ ବିଜେଡି ସଭାପତି ଇଶ୍ବର ରାଓ, ଜିଲା ପରିଷଦ ସଦସ୍ୟ ଏସ. ବାଲାରାଜୁ, ବରିଷ୍ଠ ନେତା ଏସ. ଗଜପତି ରାଓ ଏବଂ ସ୍ଥାନୀୟ ନେତା ନିରଞ୍ଜନ ଶବରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

