ଜଳଲାଗି କଲେ ୫ଶହରୁ ଊର୍ଦ୍ଧ୍ୱ ଗୋପାଳ

ଆରଡ଼ି,୧୯।୪(ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ବୈଶାଖ ମାସର ପ୍ରଥମ ସୋମବାର ୫ଶହରୁ ଊର୍ଦ୍ଧ୍ୱ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିରରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ ବିଧି ଅନୁସାରେ ବାବାଙ୍କର ଅନ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ବେଢ଼ା ଓ ବେଢ଼ା ବାହାରେ ପ୍ରତୀକ୍ଷା କରିଥିବା ଗୋପାଳମାନେ ଜଣଙ୍କ ପରେ ଜଣେ ଶୃଙ୍ଖଳାର ସହ ମନ୍ଦିର ଗମ୍ଭୀରା ଗୃହକୁ ପାଣି ଭାର ନେଇ ପ୍ରବେଶ କରିଥିଲେ। ସେଠାରେ ଥିବା ପୂଜକମାନେ ଗୋପାଳଙ୍କଠାରୁ ପାଣି ନେଇ ବାବାଙ୍କ ମସ୍ତକରେ ଢାଳିଥିଲେ।
ଯେ, ବୈଶାଖର ପ୍ରତ୍ୟେକ ସୋମବାର ଜଳଲାଗି ପାଇଁ ସ୍ଥାନୀୟ ଗଁାର ଗୋପାଳମାନେ ରବିବାର ରାତିରୁ ବୈତରଣୀ ନଦୀରୁ ଜଳଭାର ଆଣି ପୀଠକୁ ଆସିଥାନ୍ତି। ବୈଶାଖରେ ପ୍ରଚଣ୍ଡ ଖରା ହେଉଥିବାରୁ ବାବାଙ୍କ ଶୀତଳ ଉପଚାର ଲାଗି ଏଠାରେ ଏଭଳି ଜଳଲାଗି ବ୍ୟାବସ୍ଥା ରହିଆସିଥିବା ବାବା ଆଖଣ୍ଡଳମଣି ବାରପଡ଼ା ଆଞ୍ଚଳିକ ଯାଦବ ମହାସଭା ସମ୍ପାଦକ ସତ୍ୟଜିତ ପଲାଇ କହିଛନ୍ତି। ବୈତରଣୀରେ କୁମ୍ଭୀର ଥିବାରୁ ଗୋପାଳମାନେ ସାଠିବାଙ୍କୁଡ଼ା, ବୋଡ଼କ ଆଦି ନଦୀଘାଟରେ ପୂର୍ବରାତିରୁ ଡଙ୍ଗା ବାନ୍ଧି ରଖୁଛନ୍ତି ଓ ସେଠାରୁ ପାଣି ଉଠାଇଛନ୍ତି। କୁମ୍ଭୀର ଡଙ୍ଗା ନିକଟକୁ ଆସେ ନାହିଁ ତଥାପି ଏହା ବିପଦମୁକ୍ତ ନୁହେଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିଭିନ୍ନ ନଦୀଘାଟରେ ତାରଜାଲି ବାନ୍ଧିବା ଆବଶ୍ୟକ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।