ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର ପୋଷୁଛନ୍ତି ମାତ୍ର ଜିଲାରେ ୫୦% ଭାଗ ଜମିକୁ ଜଳସେଚନ ଥିବାରୁ ଦୋ’ ଫସଲି ଚାଷ ହେଉନାହିଁ। ଉଠାଜଳସେଚନ ପମ୍ପଗୁଡ଼ିକ ନିଶ୍ଚିତ ଜଳସେଚନ ସୁବିଧା କରିଥାଏ। ରବିରେ ମଧ୍ୟ ଚାଷୀମାନେ ଏହି ପମ୍ପ୍‌ ଉପରେ ନିର୍ଭର କରି ପନିପରିବା ଆଦିଚାଷ କରିଥାନ୍ତି। ମାତ୍ର ଏବେ ବର୍ଷା ଅଭାବରୁ ଧାନ ତଳି ପୋଡ଼ି ହଳଦିଆ ଗଛ ହୋଇଗଲାଣି। ଏଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ କିରୋସିନି ପମ୍ପରେ ପାଣି ମଡ଼ାଇ ତଳିକୁ ବଞ୍ଚାଉଛନ୍ତି।  ଯଦି ପମ୍ପଗୁଡିକ ଚାଲିଥାନ୍ତା ତେବେ ଅଞ୍ଚଳରେ ରୁଆ କାମ ମଧ୍ୟ ହୋଇପାରିଥାନ୍ତା। କେତେକ ପମ୍ପରେ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ଚାଲୁ ନ ଥିବାବେଳେ କେତେକ ପମ୍ପ ମରାମତି ଅଭାବରୁ ଅଚଳ ଅଛି। କେତେକ ପମ୍ପ ଟାଟା କମାନୀର ଅବହେଳା ଯୋଗୁ ଅଚଳ ରହିଛି। କେତେକ ପମ୍ପ୍‌ ଠିକାଦାରଙ୍କ ଅବହେଳା ଯୋଗୁ କାମ ହେଉନାହିଁ। ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ କାମ କରିବାକୁ ମହାସଭା ତରଫରୁ ଦାବି କରିଛନ୍ତି। ନଚେତ୍‌ ଚଳିତ ବର୍ଷରେ ଧାନ ଅମଳ ବାଧାପ୍ରାପ୍ତ ହେବ। ସରକାର ଏଥିପ୍ରତି ନଜର ଦେବା ଦରକାର ବୋଲି ଚାଷୀମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily