କେନାଲରେ ୨୦ ଫୁଟର ଘାଇ: ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ

ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବଗାଡ ନିକଟରେ ଶନିବାର ସନ୍ଧ୍ୟାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ନିକଟରେ ଥିବା ପ୍ରାୟ ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ପାଣି ମାଡ଼ି ଯିବାରୁ ଧାନଚାଷ ନଷ୍ଟ ହେବା ଆଶଙ୍କା ରହିଛି।

ଚାଷୀଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ବଗାଡ଼ ଗ୍ରାମର ଚାଷୀ ବସନ୍ତ ବେହେରାଙ୍କ ୧୫ ଏକର, ଆଶିଷ ବେହେରାଙ୍କ ୧୫ ଏକର, ଆଶୁତୋଷ ବେହେରାଙ୍କ ୧୦ ଏକର, ନନ୍ଦୀ ରଣାଙ୍କ ୫ ଏକର, ବୈକୁଣ୍ଠ ରଣାଙ୍କ ୫ ଏକର, ଋଷି ରଣାଙ୍କ ୪ ଏକର, ଯୋଗେନ୍ଦ୍ର ସାହୁଙ୍କ ୨ ଏକରଙ୍କ ସମେତ ଅନ୍ୟ କିଛି ଚାଷୀଙ୍କ ଚାଷଜମିରେ ପାଣି ମାଡ଼ିଯାଇଛି। ପ୍ରାୟ ୧୦-୧୫ ଦିନ ହେବ ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏହି ଜମିରେ ଧାନ ରୋଇଥିଲେ। ଏବେ ପାଣିରେ ସବୁ ଧୋଇ ହୋଇଯିବା ଓ ବାଲି ଓ ମାଟି ପୋତି ହେବା ଦ୍ୱାରା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।

ପ୍ରକାଶ ଯେ, ଏହା ପୂର୍ବରୁ ମଧ୍ୟ ଏହି ଠାରେ ଘାଇ ହୋଇ ଚାଷ ନଷ୍ଟ ହୋଇଥିଲା। ସେ ସମୟରେ ଗୋଟିଏ ପାର୍ଶ୍ୱରେ ଛୋଟ ଗାର୍ଡ ଓ୍ବାଲ୍‌ଟିଏ ନିର୍ମାଣ କରି ବିଭାଗ ଦାୟିତ୍ୱ ସାରି ଦେଇଥିଲା। କେନାଲରେ ଲାଇନିଂ କାମ ସହ ଅପରପାର୍ଶ୍ୱରେ ଗାର୍ଡ ଓ୍ବାଲ ନିର୍ମାଣ ପାଇଁ ଚାଷୀମାନେ ଅଭିଯୋଗ କରିଥିଲେ ହେଁ ଏଥିପ୍ରତି ବିଭାଗ ପକ୍ଷରୁ ଧ୍ୟାନ ଦିଆଯାଇ ନ ଥିଲା ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। କେନାଲର ତୁରନ୍ତ ମରାମତି କରାଯାଇ କ୍ଷତିଗ୍ରସ୍ତଚାଷୀଙ୍କର କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି।