ଯୁଦ୍ଧ ଯୋଗୁ ୪ କୋଟିରୁ ଅଧିକ ହେବେ ଗରିବ…

ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍‌ ରୁଷିଆ ଯୁଦ୍ଧ ଯୋଗୁ ପୃଥିବୀରେ ଗରିବଙ୍କ ସଂଖ୍ୟା ବଢ଼ିବ। ଏନେଇ ଆମେରିକାର ଏକ ଥିଙ୍କ୍‌ ଟେଙ୍କ୍‌ ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଯୁଦ୍ଧ ଯୋଗୁ ପୃଥିବୀରେ ୪ କୋଟିରୁ ଅଧିକ ନୂଆ ଗରିବ ସୃଷ୍ଟି ହେବେ।

ଦରଦାମ୍‌ ବଢ଼ିବା ଯୋଗୁ ଲୋକେ ଖାଦ୍ୟ ସାମଗ୍ରୀ କିଣିବାରେ ହଇରାଣ ହେବେ। ଫଳରେ ଭୋକିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ରୁଷିଆ ଏବଂ ୟୁକ୍ରେନ୍‌ରେ ପୃଥିବୀରେ ଉତ୍ପାଦିତ ହେଉଥିବା ମୋଟ ଗହମ ପରିମାଣର ୨୯ ପ୍ରତିଶତ ଉତ୍ପନ୍ନ ହୋଇଥାଏ। ଯୁଦ୍ଧ ଯୋଗୁ ଗହମ ଉତ୍ପାଦନ ବାଧାପ୍ରାପ୍ତ ହେବ। ଫଳରେ ଏଠାରୁ ହେଉଥିବା ଗହମ ରପ୍ତାନୀ ସମ୍ଭବ ହୋଇ ପାରିବ ନାହିଁ ପୋଲି ଏଥିରେ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ତର୍ଜାତୀୟସ୍ତରରେ ସୃଷ୍ଟି ହେବାକୁ ଯାଉଥିବା ଏହି ସଙ୍କଟର ମୁକାବିଲା ଲାଗି ଜି-୨୦ ଦେଶଗୁଡ଼ିକ ନିଜ ନିଜର ଖାଦ୍ୟଶସ୍ୟ ଉତ୍ପାଦକଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ୍‌ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।

ଏହାର ପ୍ରଭାବ ସର୍ବାଧିକ ଏସିଆ ମହାଦେଶ ଉପରେ ଅନୁଭୁତ ହେବାର ଆଶଙ୍କା ରହିଛି। ଭାରତରେ ଏହାର ନକାରାତ୍ମକ ପ୍ରଭାବ ବେଶି ପଡ଼ିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଯୁଦ୍ଧଯୋଗୁ ଅଶୋଧିତ ତୈଳ ବଜାରରେ ବ୍ୟାରେଲ ପିଛା ଦାମ୍‌ ୧୫୦ ଡଲାର ଛୁଇଁବାର ସମ୍ଭାବନା ରହିଛି। ଏହାଦ୍ୱାରା ପରିବହନ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେବ। ସମ୍ପ୍ରତି ଅଶୋଧିତ ତୈଳ ଦାମ୍‌ ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ଏଥିରେ ପୁଣି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି।

Share