Categories: ଜାତୀୟ

ପ୍ରେମ ପାଇଁ ଜୀବନ ହାରିଛନ୍ତି ୩ ହଜାରରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ, ୧।୮: ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଛନ୍ତି। ପାର୍ଲାମେଣ୍ଟରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୭-୧୯ ମଧ୍ୟରେ ୨୪,୫୬୮ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)।

ତେବେ ଅନ୍ୟ କୌଣସି ବୟସ ବର୍ଗ ଅପେକ୍ଷା ୧୪ରୁ ୧୮ ବର୍ଷର କିଶୋରୀମାନେ ଢ଼େର ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଉକ୍ତ ୩ ବର୍ଷରେ ୧୩,୩୨୫ କିଶୋରୀ ଜୀବନ ହାରିଛନ୍ତି। ତେବେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ସର୍ବାଧିକ ସଂଖ୍ୟାରେ ନାବାଳକ ଆତ୍ମହତ୍ୟା କରୁଛନ୍ତି।

ପରୀକ୍ଷାରେ ଫେଲ୍‌ ହେବା କାରଣରୁ ୪,୦୪୬ ପିଲା ଆତ୍ମହତ୍ୟା କରିଥିବା ବେଳେ ବିବାହ ଜନିତ କାରଣକୁ ନେଇ ୬୩୯ ଜଣ ଜୀବନ ହାରିଛନ୍ତି। ସେମାନଙ୍କ ମଧ୍ୟରୁ ୪୧୧ ଜଣ କିଶୋରୀ। ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଥିବା ବେଳେ ରୋଗ ଜନିତ କାରଣରୁ ୨,୫୬୭ ଜଣ ନିଜ ଜୀବନ ହାରିଛନ୍ତି। ମାଡ଼ ଖାଇବା ପରେ ୮୧ ପିଲା ଆତ୍ମହତ୍ୟା କରିଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ପ୍ରେମିକ କିମ୍ବା ପ୍ରେମିକାଙ୍କ ମୃତ୍ୟୁ ହେବା, ଡ୍ରଗ୍‌ ଏବଂ ମଦ ଅଭ୍ୟାସ, ଅବାଞ୍ଛତ୍ତ ଗର୍ଭଧାରଣ, ସାମାଜିକ ଖ୍ୟାତି ହ୍ରାସ, ବେରୋଜଗାରୀ, ଦାରିଦ୍ର୍ୟ।

Share