ମ୍ୟାନମାର: କାୟା ସୀମାରେ ମିଳିଲା ସେନା ଦ୍ୱାରା ନିହତ ୩୦ ଜଣଙ୍କ ପୋଡା ଯାଇଥିବା ମୃତଦେହ

ପ୍ରୁସୋ ଟାଉନ,୨୬ ।୧୨: ମ୍ୟାନମାରରେ ସଂଘର୍ଷ କରୁଥିବା ଲୋକଙ୍କ କରୁଣ କାହାଣୀ ଶେଷ ହେବାର ନାଁ ନେଉନି । ଶୁକ୍ରବାର କାୟା ସୀମାରେ ସେନା ଦ୍ୱାରା ମୃତ୍ୟୁ ହୋଇଥିବା ମହିଳା ଓ ଶିଶୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତଦେହକୁ ପୋଡି ଦିଆଯାଇଥିବା ସୂଚନା ମିଳିଛି । ଏହି ଖବର ସ୍ଥାନୀୟ ବାସିନ୍ଦା, ମାନବାଧିକାର କର୍ମୀ ଓ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଛି । କରେନି ମାନବାଧିକାର ସମୁହ କହିଛି ବିସ୍ଥାପିତ ହୋଇଥିବା ଲୋକଙ୍କ ଜଳା ଯାଇଥିବା ମୃତଦେହ ମିଳିଛି । ଯେଉଁମାନେ ପ୍ରୁସୋ ସହର ନିକଟରେ ରହୁଥିବା ବେଳେ ସେନା ଦ୍ୱାରା ନିହତ ହୋଇଛନ୍ତି । କରେନି ମାନବାଧିକାର ସମୁହ ଏକ ଫେସବୁକ ପୋଷ୍ଟରେ କହିଛି ମୃତ୍ୟୁ ହୋଇଥିବା ୩୦ରୁ ଅଧିକଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ମହିଳା ଓ ଶିଶୁ ବି ରହିଛନ୍ତି । ମ୍ୟାନମାର ସେନା ଦ୍ୱାରା କରାଯାଇଥିବା ଏହି ଅମାନବୀୟ କାଣ୍ଡର ଖୁବ୍ ନିନ୍ଦା କରିଛି କରେନି ମାନବାଧିକାର ସମୁହ । ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି ଶୁକବାର ଘଟଣାସ୍ଥଳରେ ଗୁଳି ଫୁଟିବାର ଶବ୍ଦ ଶୁଭୁଥିବାରୁ ସେମାନେ ସେଠାକୁ ଯିବାକୁ ଭୟ କରିଥିଲେ । ଆଉ ଶନିବାର ସକାଳୁ ଦେଖାଯାଇଥିଲା କେତେଜଣ ଲୋକଙ୍କ ମୃତ ଶରୀରକୁ ପୋଡି ଦିଆଯାଇଥିଲା । ଏଥିରେ ଶିଶୁ ଓ ମହିଳା ଥିବା ଜଣାପଡିଛି । କାରଣ ଘଟଣାସ୍ଥଳରେ ମହିଳା ଓ ଶିଶୁଙ୍କ ପୋଷାକ ଏଣେତେଣେ ପଡିଥିବା ନଜରକୁ ଆସିଥିଲା ।

Share