୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି। ହିନ୍ଦୁଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଭାବେ ପୂରାଣ ବର୍ଣ୍ଣିତ ରହିଛି। ସୂଚନାଯୋଗ୍ୟ, ମାଦଳି ମୁହାଣ ବାଲୁକା ଶଯ୍ୟାରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳିଙ୍କ ନେତୃତ୍ୱରେ ଏକ ଯୁବ ସାମାଜିକ ସଙ୍ଗଠନ କର୍ମକର୍ତ୍ତାମାନେ ମିଳିତ ହୋଇ ରବିବାର ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ରୀତିନୀତି ଅନୁଯାୟୀ ପୋତି ଥିଲେ। ଅପରପକ୍ଷରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଭାବେ ବଡ଼ ବଡ଼ ଟ୍ରଲରଗୁଡିକର ମତ୍ସ୍ୟଜୀବୀମାନେ ମାଛ ଧରୁଥିବାରୁ ଗାଞ୍ଜ ଜାଲରେ ଅଣନିଃଶ୍ୱାସୀ ହୋଇ ଅକାଳରେ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହେଉଛି। ଫଳରେ ବିଦେଶରୁ ଆସୁଥିବା ଏହି କଇଁଛ ଅଣ୍ଡାଦାନ ପାଇଁ ଏହି ସାମୁଦ୍ରିକ ବାଲୁକାଶଯ୍ୟାରେ ଶତାଧିକ ସଂଖ୍ୟାରେ ସୁରକ୍ଷିତ ଭାବି ଗଣ ଅଣ୍ଡାଦାନ କରିଥାନ୍ତି। ତେବେ ଗଣ ଅଣ୍ଡାଦାନ ପୂର୍ବରୁ କଇଁଛ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଚଳିତବର୍ଷ କେତେଗୋଟି ଟ୍ରଲର ଜବତ କରାଯାଇଛି। ହେଲେ ଟ୍ରଲର ବ୍ୟବସାୟୀମାନେ ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ନିଷିଦ୍ଧାଞ୍ଚଳରେ ଅନୁପ୍ରବେଶ କରି ପ୍ରଚୁର ପରିମାଣରେ ମାଛ ମାରି ମାଲାମାଲ୍‌ ହେଉଛନ୍ତି। ଏହି ବାଲୁକା ବେଳାଭୂମିରେ ମୃତ ଅଲିଭ୍‌ ରିଡ୍‌ଲେଙ୍କ ସହ ପ୍ଲାଷ୍ଟିକସାମଗ୍ରୀ, କାଚ ବୋତଲ ଓ ଅଳିଆ ଆବର୍ଜନାକୁ ସଙ୍ଗଠନର ଯୁବକମାନେ ସଫା କରିବା ସହ ସଚେତନତା ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ହୃଷୀକେଶ ପଣ୍ଡା, ପଣ୍ଡିତ ଶ୍ରୀମନ୍ତ ପାହାଡି, ସୁବାସ ସ୍ବାଇଁ, ସତ୍ୟ ସିଂହ, ଗୁରୁପଦ ବେରା, ପ୍ରଦୀପ ସାମନ୍ତ, ଶକ୍ତିପଦ ମିର୍ଦ୍ଧା ପ୍ରମୁଖ ସାମିଲ ହୋଇଥିଲେ।