ଜୀବନ ଭୟରେ ଶରଣାର୍ଥୀ ହେଲେଣି ୨୫ ଲକ୍ଷରୁ ଅଧିକ ଲୋକ,ଜାତିସଂଘ ରିପୋର୍ଟ…

ଜେନେଭା, ୧୨।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୫ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡ଼ିଛନ୍ତି। ଜୀବନ ଭୟରେ ସେମାନେ ଏବେ ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି।

ଆଗାମୀ ଦିନରେ ଶରଣାର୍ଥୀଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୟୁକ୍ରେନ୍‌ ଭିତରେ ୧୮ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ଅଞ୍ଚଳକୁ ପଳାୟନ କରିଛନ୍ତି। ଏହି ଧାରା ଜାରି ରହିଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ୮୧ ହସ୍ପିଟାଲ ଧ୍ୱଂସ ହୋଇଯାଇଛି। ଏହା ସହିତ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ସମ୍ଭବ ହୋଇ ପାରୁନାହିଁ।

ଲୋକେ ଭୋକଶୋଷରେ ସୀମା ମୁହାଁ ହେବାରେ ଲାଗିଛନ୍ତି। ସର୍ବାଧିକ ୧୫ ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡରେ ଶରଣ ନେଇଛନ୍ତି। ସେହିପରି ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ୟୁକ୍ରେନ୍‌ ଶରଣାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ନିଜ ନିଜ ପରିବାରଠାରୁ ଅଲଗା ହୋଇ ଯାଇଛନ୍ତି। ସ୍ଳୋଭାକିଆ ସରକାର କହିଛନ୍ତି ଯେ, ୟୁକ୍ରେନ୍‌ ଛାଡ଼ିଥିବା ଲୋକଙ୍କୁ ରହିବା ତଥା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି।

ଏହା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା ଏବଂ ନିଯୁକ୍ତ ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଶରଣାର୍ଥୀଙ୍କ ମଧ୍ୟରେ ୮ ଲକ୍ଷରୁ ଅଧିକ ଶିଶୁ ମଧ୍ୟ ରହିଛନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି।

Share