Categories: ଜାତୀୟ

ପିଓକେରେ ୧୫୦ରୁ ଅଧିକ ଆତଙ୍କବାଦୀ, ଅନୁପ୍ରବେଶ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର କରିଛି। ଫଳରେ ଲଗାତାର ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ସେହିପରି ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ମୃତ୍ୟୁ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରୁ ୩ ଥର ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଘଟିଛି।

୨୩ ସେପ୍ଟେମ୍ବରରେ ଭାରତୀୟ ସେନା ପକ୍ଷରୁ ଅନୁପ୍ରବେଶ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ତେବେ ୨ ଜଣ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇର ଜଣେ ଏଜେଣ୍ଟ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଗାଇଡ଼ ଭାବେ ସେ ଆସିଥିବା କୁହାଯାଉଛି।

ମୃତ ଆତଙ୍କବାଦୀଙ୍କଠାରୁ ୫ଟି ଏକେ-୪୭, ୮ଟି ପିସ୍ତଲ, ୭୦ ଗ୍ରେନେଡ୍‌ ଏବଂ ଭାରତ ତଥା ପାକିସ୍ତାନୀ ନୋଟ୍‌ ଜବତ କରାଯାଇଛି। ପାକିସ୍ତାନ ଅସ୍ତ୍ରବିରତିର ନାଟକ କରୁଥିବାବେଳେ ଅପରପକ୍ଷରେ ଅନୁପ୍ରବେଶକୁ ପ୍ରୋତ୍ସାହିତ କରୁଛି। ଏହା ଦ୍ୱାରା ସୀମାରେ ଉତ୍ତେଜନା ଥମିବା ବଦଳରେ ବଢ଼ିବାରେ ଲାଗିଛି।

ସେପ୍ଟେମ୍ବର ୨୪ରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ରାମପୁର ସେକ୍ଟରରେ ପାକିସ୍ତାନ ପକ୍ଷରୁ ଆସିଥିବା ତିନି ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଥିଲା। ସେପ୍ଟେମ୍ବର ୨୫ରେ ନିୟନ୍ତ୍ରଣ ରେଖାର ଉରି ସେକ୍ଟରରେ ଭାରତୀୟ ସେନା ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।  ଜଣେ ଭାରତୀୟ ସେନା ଯବାନ ଆହତ ହୋଇଥିଲେ। ଯବାନଙ୍କ କାନ୍ଧରେ ଗୁଳି ବାଜିଥିଲା।

ଉରିର ଏହି ଅଞ୍ଚଳରେ ସେପ୍ଟେମ୍ବର ୧୮ରେ ୬ ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଖବର ଆସିଥିଲା। ପ୍ରାୟ ତିନି ଦିନ ଧରି ଚାଲିଥିବା କମ୍ବିଂ ଅପରେଶନ ସତ୍ତ୍ୱେ ଆତଙ୍କବାଦୀଙ୍କ କୌଣସି ପତ୍ତା ମିଳିପାରି ନାହିଁ।

ସେପ୍ଟେମ୍ବର ୨୭ରେ ଉରି ସେକ୍ଟରରେ ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି।

ପିଓକୋରେ ସମ୍ପ୍ରତି ୧୫୦ରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ବସିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖାରେ ଭାରତୀୟ ଯବାନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଏବଂ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share