ଗଛତଳେ ଚିକିତ୍ସିତ ହେଉଛନ୍ତି ୧୫ରୁ ଅଧିକ କରୋନା ଆକ୍ରାନ୍ତ

ଭିଜିଆନଗରମ୍‌, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି। ଆନ୍ଧ୍ରପ୍ରଦେଶର ଭିଜିଆନଗରମ୍‌ ଜିଲାରେ ୧୫ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଗଛତଳେ ଚିକିତ୍ସା କରାଯାଉଛି। ଖରା ବର୍ଷାରେ ଆକ୍ରାନ୍ତମାନେ ଗଛତଳେ ପଡ଼ି ରହିଛନ୍ତି। ସ୍ଥାନୀୟ ସାଲୁର ମଣ୍ଡଳର ଖାରସାଭାଲସା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ପ୍ରଶାସନର ନିଘା ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିକଟରେ ଥିବା ଗଛତଳେ ଆକ୍ରାନ୍ତମାନେ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଥିବା କୁହାଯାଉଛି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବାପରେ ସାଲୁର ଏମ୍‌ଆର୍‌ଓ ଶେଖ୍‌ ଇବ୍ରାହିମ୍‌ କହିଛନ୍ତି ଯେ, ଏନେଇ ଖବର ମିଳିବାପରେ ସ୍ଥାନୀୟ ଭିଆର୍‌ଓ ସହାୟତାରେ ଆକ୍ରାନ୍ତଙ୍କ ସୁବିଧା କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ଏବଂ ଯୋଗାଇ ଦିଆଯାଇଥିବା ସ୍ବାସ୍ଥ୍ୟ ସେବାର ତଦାରଖ ପାଇଁ ସେ ମଙ୍ଗଳବାର ସକାଳ ସାଢ଼େ ୭ଟାରେ ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି।

Share