ଆମେରିକାରେ ଗୋଟିଏ ଦିନରେ ୧୦ ଲକ୍ଷ ସଂକ୍ରମିତ

ୱାଶିଂଟନ,୬ ।୧: ଆମେରିକାରେ ବୁଧବାର ଗୋଟିଏ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ବେଡ ନିଅଣ୍ଟ ପଡୁଥିବା ଜଣାପଡିଛି । ଆଶ୍ୱସ୍ତିକର ଖବର ହେଲା ଏଠାରେ ଆଇସିୟୁରେ ଖୁବ୍ କମ୍ ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଛି । ଏହାକୁ ଦେଖି ବିଶେଷଜ୍ଞମାନେ କହିଛନ୍ତି ଓମିକ୍ରନ୍‌ରେ ମୃତ୍ୟୁ ସଂଖ୍ୟା ଡେଲ୍ଟାଠାରୁ ଅପେକ୍ଷା କୃତ କମ୍ ରହିବ । ହେଲେ ଓମିକ୍ରନର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ ବ୍ରିଟେନ, ଇଟାଲୀ ଓ ଫ୍ରାନ୍ସରେ ବି ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଆଉ ଏକ ଚିନ୍ତାଜନକ ବିଷୟ ।
ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ । କାରଣ ଏହା ପୂର୍ବରୁ କେବେ ଏତେ ସଂଖ୍ୟାକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନଥିଲା । ସେହିପରି ଇଟାଲିରେ ୧,୭୦,୮୪୪ ଓ ଫ୍ରାନ୍ସରେ ପାଖାପାଖି ୩ଲକ୍ଷ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କଡାକଡି ଲକ ଡାଉନକୁ ବିରୋଧ କରିଛନ୍ତି । କାରଣ ଟିକାକରଣର ବୁଷ୍ଟର ଡୋଜ କାମ କରିବ ବୋଲି ସେ କହିଛନ୍ତି ।
ଓମିକ୍ରନର ସଂକ୍ରମଣକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଦ୍ରୁତ ସଂକ୍ରମଣଠାରୁ ସାବଧାନ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Share