୧.୨୩ କୋଟି ଟପିଲା ସଂକ୍ରମଣ

ନୂଆଦିଲ୍ଲୀ, ୪।୪: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। କ୍ରମାଗତ ୨୪ ଦିନ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭୧୪ ଜଣଙ୍କ ଜୀବନ ଯାଇଛି। ଗତ ସାଢ଼େ ୬ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୨୩ କୋଟି ଅତିକ୍ରମ କରିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଦୈନିକ ସଂକ୍ରମଣର ୮୧.୪୨ ପ୍ରତିଶତ କେବଳ ୮ଟି ରାଜ୍ୟରେ ଦେଖିତ୍ବାକୁ ମିଳିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, କର୍ନାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶ।
ଭାରତରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୬,୫୮,୯୦୯କୁ ବୃଦ୍ଧି ପାଇଛି, ଯାହା କି ମୋଟ ସଂକ୍ରମଣର ୫.୩୨ ପ୍ରତିଶତ। ଦିନକରେ ସକ୍ରିୟ ମାମଲା ସଂଖ୍ୟା ୪୪,୨୧୩ ବୃଦ୍ଧି ପାଇଛି। ମୋଟ ସକ୍ରିୟ ମାମଲାର ୫୦ ପ୍ରତିଶତ ୧୦ଟି ଜିଲା ପୁଣେ, ମୁମ୍ବାଇ, ନାଗପୁର, ଠାଣେ, ନାସିକ, ବେଙ୍ଗାଲୁରୁ ଅର୍ବାନ, ଔରଙ୍ଗାବାଦ, ଦିଲ୍ଲୀ, ଅହମଦନଗର ଏବଂ ନାନ୍ଦେଦ୍‌ରେ ରହିଛି। ଗତ ଦୁଇ ମାସରେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୯ ଗୁଣ ବୃଦ୍ଧି ହୋଇଛି।
ଶନିବାର ୭୧୪ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା୧,୬୪,୧୧୦ ହୋଇଛି। ଅକ୍ଟୋବର ୨୧ ପରେ ଶନିବାର କରୋନାରେ ସର୍ବାଧିକ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଶନିବାର ସର୍ବାଧିକ ୪୭,୯୧୩ ଜଣ ସଂକ୍ରମିତ ହୋଇଥିବାବେଳେ କର୍ନାଟକରେ ୪,୯୯୧, ଛତିଶଗଡ଼ରେ ୪,୧୭୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୦ରେ ଦୈନିକ ସଂକ୍ରମଣ ୯୨,୬୦୫ ରହିଥିଲା।
୧୨ଟି ରାଜ୍ୟରେ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ସ୍ବାସ୍ଥ୍ୟ ସଚିବମାନେ ଯୋଗଦେଇଥିଲେ। ବୈଠକରେ ଗତ ଦୁଇ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବା ରାଜ୍ୟଗୁଡ଼ିକ ଉପରେ ଫୋକସ୍‌ କରାଯାଇଥିଲା। ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ଥିବା ଏହି ରାଜ୍ୟଗୁଡ଼ିକରେ ତୁରନ୍ତ କୋଭିଡ୍‌ ପରୀକ୍ଷା ବଢ଼ାଇବା, କଣ୍ଟେନମେଣ୍ଟକୁ କଡ଼ାକଡ଼ି କରିବା, କଣ୍ଟାକ୍ଟ ଟ୍ରେସିଂକୁ ତ୍ୱରାନ୍ବିତ କରିବା ସହ କୋଭିଡ୍‌ ନିୟମାବଳୀ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।
ସଂକ୍ରମଣ ରୋକିବା ଲାଗି ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭.୩ କୋଟିରୁ ଊର୍ଦ୍ଧ୍ୱ ଟିକା ଦିଆଗଲାଣି।

Share