‘ଆଗକୁ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବ’

ଇସଲାମାବାଦ,୧ା୯: ପାକିସ୍ତାନର ସର୍ବୋଚ୍ଚ ଜଳବାୟୁ ଏବଂ ପରିବେଶ ବିଶେଷଜ୍ଞ କହିଛନ୍ତି, ବିଶ୍ୱ ତାପମାତ୍ରାର ପ୍ରଭାବ ଆଶ୍ଚର୍ଯ୍ୟଜନକ। ଯାହାକି ପାକିସ୍ତାନକୁ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା କେବଳ ଜଳବାୟୁ ପରିବର୍ତ୍ତନର ଆରମ୍ଭ। ଏହା ଆଗକୁ ଆହୁରି ଖରାପ ହେବାକୁ ଯାଉଛି।

ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ପାକିସ୍ତାନରେ ବନ୍ୟା ଯୋଗୁ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହା ବ୍ୟତୀତ ଏହି ବନ୍ୟା ଯୋଗୁ କୃଷି ଏବଂ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ୩୩ ନିୟୁତ ଜନସଂଖ୍ୟା ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସରକାର ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଇସଲାମାବାଦରେ ବୈଦେଶିକ କୂଟନୀତିଜ୍ଞଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷାରେ ୩୩ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି, ପାକିସ୍ତାନରେ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ଜଳବାୟୁ ପରିବର୍ତ୍ତନ ହେତୁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଶ ତାଲିକାରେ ଏହା ଅଷ୍ଟମ ସ୍ଥାନରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପାଇଁ ଆର୍ଥିକ କ୍ଷତିର ସମୀକ୍ଷା କରାଯାଉଛି, ଯାହା କୋଟି କୋଟି ଟଙ୍କା ହେବ।

କରାଚିରେ ପରିବେଶ ବୈଜ୍ଞାନିକ ଡକ୍ଟର ସୀମା ଜିଲାନି ଚେତାବନୀ ଦେଇଛନ୍ତି, ‘ଜଳବାୟୁ ପରିବର୍ତ୍ତନର ଫଳାଫଳ ଆଶ୍ଚର୍ଯ୍ୟଜନକ’ ପାକିସ୍ତାନ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଯାହା ଘଟୁଛି ତାହା ହେଉଛି ଜଳବାୟୁ ପରିବର୍ତ୍ତନର ଫଳାଫଳ।

ଗତ ସପ୍ତାହରେ ଦେଶର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) କହିଛି, ଏପର୍ଯ୍ୟନ୍ତ ୧,୦୩୩ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିନ୍ଧରେ ୩୪୭ ଲୋକ ପ୍ରାଣ ହରାଇଥିବା ବେଳେ ବେଲୁଚିସ୍ତାନରେ ୨୩୮ ଜଣ, ଖଇବର ପଖତୁନଖାରେ ୨୨୬, ପଞ୍ଜାବରେ ୧୬୮, ଗୁଲାମ କଶ୍ମୀରରେ ୩୮, ଗିଲଗିଟ ବେଲୁଚିସ୍ତାନରେ ୧୫ ଜଣ ଏବଂ ଇସଲାମାବାଦରେ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାରେ ୩,୪୫୧.୫ କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି। ୧୪୭ଟି ସେତୁ ଧୋଇ ହୋଇଯାଇଛି। ୧୭୦ ଦୋକାନ ନଷ୍ଟ ହୋଇଯାଇଛି ଏବଂ ୯,୪୯,୮୫୮ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Share