ଦକ୍ଷିଣ ଆଫ୍ରିକାରେ ଅଧିକ ଶିଶୁ ସଂକ୍ରମିତ

ଜୋହାନ୍ସବର୍ଗ, ୫।୧୨: ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍‌ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ପୂର୍ବରୁ କୋଭିଡ୍‌ରେ ପିଲାମାନେ ଏତେ ସଂଖ୍ୟାରେ ସଂକ୍ରମିତ ହେଉ ନ ଥିଲେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେଉ ନ ଥିଲେ। ତୃତୀୟ ଲହରରେ ଶିଶୁ, କିଶୋର ଏବଂ ଗର୍ଭବତୀ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖାଯାଇଛି ବୋଲି ଜାତୀୟ ସଂକ୍ରାମକ ରୋଗ ସଂସ୍ଥାନର ଡ. ଓ୍ବାସିଲା ଜସାଟ କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରାଯାଉଥିବା ଏନ୍‌ଆଇସିଡିର ଡାକ୍ତର ମିଚେଲେ ଗ୍ରୁମ୍‌ କହିଛନ୍ତି। ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶ ମଧ୍ୟରୁ ୭ଟିରେ ସଂକ୍ରମଣ ଓ ପଜିଟିଭିଟି ହାର ବୃଦ୍ଧି ପାଉଛି।

Share