କୋଭିଶିଲ୍ଡ୍‌ ଡୋଜ୍‌ ଯୋଗୁ ଶରୀରରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହେଉଛି…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ସହିତ ସିରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ତିଆରି ହୋଇଥିବା କୋଭିଶିଲ୍ଡ ଟିକା ଲୋକଙ୍କୁ ଦିଆଯାଉଛି। ତେବେ କୋଭାକ୍ସିନ୍‌ ତୁଳନାରେ କୋଭିଶିଲ୍ଡ ଡୋଜ୍‌ ଯୋଗୁ ଶରୀରରେ ଅଧିକ ଆଣ୍ଟିବିଡ଼ି ସୃଷ୍ଟି ହେଉଛି। ଏନେଇ କରାଯାଇଥିବା ଏକ ଗବେଷଣା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ଉପରେ ପରୀକ୍ଷା କରାଯାଇ ଏହା ଜଣାପଡ଼ିଛି। ସେରୋପଜିଟିଭ୍‌ ରେଟ୍‌ ଏବଂ ଆଣ୍ଟି ସ୍ପାଇକ୍‌ ଆଣ୍ଟିବଡ଼ି ସଂଖ୍ୟା କୋଭିଶିଲ୍ଡ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କଠାରେ ଅଧିକ ସୃଷ୍ଟି ହେଉଥିବା ସମ୍ପର୍କରେ କରୋନା ଭାଇରସ୍‌ ଭାକ୍ସିନ୍‌ ଇଣ୍ଡ୍ୟୁସ୍ଡ ଆଣ୍ଟିବଡ଼ି ଟାଇଟ୍ରି (କୋଭାଟ୍‌)ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକାର ଦୁଇଟି ଡୋଜ୍‌ ନେବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ଉପରେ ଭଲ ପ୍ରଭାବ ପଡୁଛି। ତେବେ କୋଭିଶିଲ୍ଡ ଯୋଗୁ ସେରୋପଜିଟିଭ୍‌ ରେଟ୍‌ରେ ବୃଦ୍ଧି ଘଟୁଥିବା ରିପୋର୍ଟରେ କୁହାଯାଇଛି। ୫୫୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ୍‌ ଟିକା ଦିଆଯାଇଥିଲା। ସେଥିମଧ୍ୟରେ ୩୨୫ ପୁରୁଷ ଏବଂ ୨୨୭ ମହିଳା ସ୍ବାସ୍ଥ୍ୟକର୍ମୀ ଥିଲେ। ସେମାନଙ୍କ ମଧ୍ୟରୁ ୪୫୬ଜଣଙ୍କୁ କୋଭିଶିଲ୍ଡ ଏବଂ ୯୬ ଜଣଙ୍କୁ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇ ଥିଲା। ଟିକା ନେବା ଦ୍ୱାରା ହାରାହାରି ୭୯.୩ ପ୍ରତିଶତ ସିରୋପଜିଟିଭ୍‌ ରେଟ୍‌ ରହିଥିଲା। କୋଭିଶିଲ୍ଡ୍‌ର ଡୋଜ୍‌ ଯୋଗୁ ୮୬.୮ ପ୍ରତିଶତ ଆଣ୍ଟି ସ୍ପାଇକ୍‌ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାବେଳେ କୋଭାକ୍ସିନ୍‌ ଯୋଗୁ ୪୩.୮ ପ୍ରତିଶତ ଆଣ୍ଟି ସ୍ପାଇକ୍‌ ଆଣ୍ଟିବଡ଼ି ଶରୀରରେ ତିଆରି ହୋଇଥିବାର ଦେଖାଯାଇଥିଲା।

Share