କେତେ ଶୁଭ କଳାଜାଇ…

କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍‌ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର ତାଳୁରେ କଳାଜାଇ ଥାଏ, ସିଏ ଐଶ୍ୱର୍ଯ୍ୟବାନ୍‌ ହେବା ସହିତ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିବେ ବୋଲି ସୂଚନା ମିଳିଥାଏ। କିନ୍ତୁ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଅନ୍ୟପକ୍ଷେ କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁମାନଙ୍କର ଏମିତି କଳାଜାଇ ଥାଏ ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ହେଲେ ସ୍ବଭାବରେ ଏମାନେ ଖୁବ୍‌ ଖର୍ଚ୍ଚୀ ବି ହୋଇଥାନ୍ତି। ବାମପଟ ଗାଲରେ କଳାଜାଇ ରହିବା ସେମିତି କିଛି ଶୁଭ ଫଳ ଦେଇ ନଥାଏ। ହେଲେ ଡାହାଣ ଗାଲରେ କିମ୍ବା ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତିମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି କୁହାଯାଏ। ସେହିପରି ଡାହାଣ ପଟ ପତା ଉପରେ କଳାଜାଇ ରହିବା ଧାର୍ମିକ ସ୍ବଭାବକୁ ସୂଚାଇଥାଏ।