Categories: ଜାତୀୟ

ମୋରବି ଝୁଲାପୋଲ ମାମଲା: ଯାଞ୍ଚ ଅଗ୍ରଗତି ରିପୋର୍ଟ ଲୋଡିଲେ ହାଇକୋର୍ଟ…

ଅହମଦାବାଦ,୨୨।୧୨ : ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ କ’ଣ କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଉ ବୋଲି କୋର୍ଟ କହିଛନ୍ତି। ଏହା ସହିତ ହାଇକୋର୍ଟର ପୂର୍ବ ଆଦେଶ ଉପରେ କେଉଁ ପଦକ୍ଷେପ ନିଆଯାଇଥିଲା, ତାହା ମଧ୍ୟ ଆଦାଲତ ଲୋଡିଛନ୍ତି। ପୋଲକୁ ନବୀକରଣ କରୁଥିବା ଓରେଭା ଗ୍ରୁପକୁ ମଧ୍ୟ ହାଇକୋର୍ଟ ଏକ ନୋଟିସ ଜାରି କରିଛନ୍ତି।

କୋର୍ଟଙ୍କ ପକ୍ଷରୁ ସ୍ବତଃ ପ୍ରବୃତ ଭାବେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ କମ୍ପାନୀକୁ ଉତ୍ତରଦାୟୀ କରିବାକୁ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏହି ପିଟିଶନର ଶୁଣାଣି କରି ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ଏବଂ ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀଙ୍କ ଏକ ଡିଭିଜନ ବେଞ୍ଚ ଅଜନ୍ତା କମ୍ପାନୀକୁ ନୋଟିସ ଜାରି କରିଛନ୍ତି। ଦୁର୍ଘଟଣା ଯୋଗୁଁ ହୋଇଥିବା କ୍ଷତିପୂରଣ ପାଇଁ କମ୍ପାନୀକୁ ଦାୟୀ କରାଯିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

Share