ଦୁବାଇରେ ଚନ୍ଦ୍ର ରିସର୍ଟ

ଦୁବାଇ, ୧୨ା୯: ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍‌ଟ୍ରା-ଲକ୍‌ଜ୍ୟୁରିୟସ୍‌ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ ମୁନ୍‌ ଓ୍ବାଲର୍‌ଡ ରିସର୍ଟସ୍‌(ଏମ୍‌ଡବ୍ଲ୍ୟୁଆର୍‌) ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଅବିକଳ ଚନ୍ଦ୍ର ପୃଷ୍ଠ ଭଳି ଦେଖାଯିବାକୁ ଥିବା ଏହି ରିସର୍ଟ ୪୮ ମାସରେ ନିର୍ମାଣ ହେବ।

ଏହି ଅତୀବ-ବିଳାସପୂର୍ଣ୍ଣ ହୋଟେଲର ଉଚ୍ଚତା ୭୩୫ ଫୁଟ୍‌ ରହିବ। ନିର୍ମାଣରେ ୫ ବିଲିୟନ ଡଲାର ଖର୍ଚ୍ଚ ହେବ। ‘ମୁନ୍‌ ଦୁବାଇ’ ଦେଶର ଅର୍ଥନୀତିକୁ ଆହୁରି ଇନ୍ଧନ ଦେବ ବୋଲି ଆର୍କିଟେକ୍ଚରାଲ ଫାର୍ମ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା (ଏମ୍‌ଇଏନ୍‌ଏ) କ୍ଷେତ୍ରରେ ମୁନ୍‌ ଦୁବାଇ ପ୍ରୋଜେକ୍ଟ ସର୍ବାଧିକ ସଫଳ ଟୁରିଜମ୍‌ ପ୍ରକଳ୍ପ ସାବ୍ୟସ୍ତ ହେବ ଏବଂ ସହଜରେ ବାର୍ଷିକ ୧୦ ନିୟୁତ ପର୍ଯ୍ୟଟକ ସେଠାକୁ ଯିବେ ବୋଲି ମୁନ୍‌ ଓ୍ବାଲର୍‌ଡ ରିସର୍ଟର ପ୍ରତିଷ୍ଠାତା ସାଣ୍ଡ୍ରା ଜି ମାଥ୍ୟୁସ୍‌ କହିଛନ୍ତି। ରିସର୍ଟରେ ଲୋକେ ସ୍ପା, ବ୍ୟାୟାମ, ନାଇଟ୍‌ କ୍ଲବ୍‌, ଇଭେଣ୍ଟ ସେଣ୍ଟରର ସୁବିଧା ପାଇବେ। ଏଥିସହ ଏହା ଏକ ବୈଶ୍ୱିକ ବୈଠକ ସ୍ଥଳୀ ବା ଗ୍ଲୋବାଲ ମିଟିଂ ପ୍ଳେସ୍‌ ହୋଇପାରିବ। ହୋଟେଲରେ ବିଭିନ୍ନ ସ୍ପେସ୍‌ ଏଜେନ୍ସି ଏବଂ ସେମାନଙ୍କ ମହାକାଶଚାରୀଙ୍କ ନିମନ୍ତେ ତାଲିମ ମଞ୍ଚ ମଧ୍ୟ ମିଳିବ। ରିସର୍ଟରେ ପ୍ରାଇଭେଟ୍‌ ଘର ‘ସ୍କାଏ ଭିଲ୍ଲାସ୍‌’ ରଖିବାକୁ ଯୋଜନା ରହିଛି।

ଏଥିରୁ ବାର୍ଷିକ ରାଜସ୍ବ ପ୍ରାୟ ୧.୮ ବିଲିୟନ ଡଲାର ଆସିବ ବୋଲି ଆକଳନ କରାଯାଇଛି। ଏବେ କମ୍ପାନୀ ଲାଇସେନ୍ସ କରିବା ଏବଂ ଦକ୍ଷ କ୍ଲାଏଣ୍ଟଙ୍କୁ ଆକର୍ଷିତ କରିବା ପାଇଁ ରୋଡ୍‌ ଶୋ’ ଆୟୋଜନ ଯୋଜନା ରଖିଛି। ଉତ୍ତର ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା ଓ ଏସିଆରେ ୪ଟି ମୁନ୍‌ ରିସର୍ଟ ନିମନ୍ତେ ଲାଇସେନ୍ସ ପାଇଁ ମଧ୍ୟ ଏମ୍‌ଡବ୍ଲ୍ୟୁଆର୍‌ ଯୋଜନା କରୁଛି।

Share