Categories: ଜାତୀୟ

ଚନ୍ଦ୍ର-ପୃଥିବୀର ସେଲ୍‌ଫି ଉଠାଇଲା ଆଦିତ୍ୟ ଏଲ୍‌୧

ନୂଆଦିଲ୍ଲୀ,୭।୯: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍‌୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍‌୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର୍‌) ରେ ଇସ୍ରୋ ଏହି ସୂଚନା ଦେଇଛି। ଏହି ସେଲଫି ଆଦିତ୍ୟ ଏଲ୍‌୧ରେ ସ୍ଥାପିତ କ୍ୟାମେରାରେ କଏଦ ହୋଇଛି। ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ ସେଣ୍ଟରରୁ ଆଦିତ୍ୟ ଏଲ୍‌୧ ଲଞ୍ଚ କରାଯାଇଥିଲା। ୧୨୮ ଦିନର ମହାକାଶ ଯାତ୍ରା ସମାପ୍ତ କରିବା ପରେ ଆଦିତ୍ୟ ଏଲ୍‌୧ ପୃଥିବୀଠାରୁ ୧.୬ ନିୟୁତ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ ପଏଣ୍ଟ୍ର ହାଲୋ କକ୍ଷପଥରେ ରଖାଯିବ। ଆଦିତ୍ୟ ଏଲ୍‌୧ରେ ପେଲୋଡ ସୂର୍ଯ୍ୟ କିରଣ, ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ କରିବ।
ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଲାଗି ଆଦିତ୍ୟ-ଏଲ୍‌୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧ଟା ୫୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସ୍ପେସ୍‌ ପୋର୍ଟରୁ ମହାକାଶକୁ ଛଡ଼ାଯାଇଥିଲା। ଏହି ମହାକାଶ ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏଲ୍‌୧ (ସୂର୍ଯ୍ୟ-ପୃଥିବୀର ଲାଗ୍ରାଞ୍ଜ ପଏଣ୍ଟ)ରୁ ସୋଲାର କରୋନା ଏବଂ ସୋଲାର ଓ୍ବିଣ୍ଡ୍‌ର ଅନୁଧ୍ୟାନ କରିବ। ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍‌ ମିଶନ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଏବଂ ବାହ୍ୟ ସ୍ତର କରୋନାର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ଓ୍ବେଭ୍‌ ବ୍ରାଣ୍ଡ୍‌ର ୭ଟି ପ୍ଲେଲୋଡ୍‌ ରହିଛି।

Share