ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭ

ନିକଟରେ (୨ ଜୁନ୍‌,୨୦୨୩) ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଥିଲା ଅଭୂତପୂର୍ବ। ଏଥିରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୨୮୯ ଲୋକ, ସେମାନଙ୍କ ମୃତଦେହକୁ ରଖାଯାଇଥିଲା ନିକଟସ୍ଥ ଏକ ବିଦ୍ୟାଳୟ ଗୃହରେ ଏବଂ ସେଠାରୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ବିଭିନ୍ନ ଡାକ୍ତରଖାନାକୁ। ଅବଶ୍ୟ ଏହି ଦୁର୍ଘଟଣାର ସ୍ମୃତି ଜନମାନସରେ ଦୀର୍ଘସ୍ଥାୟୀ ହେବ। ତେବେ ମୃତବ୍ୟକ୍ତିମାନଙ୍କ ‘ଅତୃପ୍ତ ଆତ୍ମା’ ସେଠାରେ ପ୍ରେତହୋଇ ବସାବାନ୍ଧି ଥିଲେ ଏବଂ ସେଥିପାଇଁ କିଛି ସ୍ଥାନୀୟ ଲୋକଙ୍କ ପ୍ରରୋଚନାରେ ତାହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ଲାଗି ସରକାର ନେଇଥିବା ପଦକ୍ଷେପ ନିଶ୍ଚୟ ଭାବେ ଏହାକୁ ‘ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭ’ ରୂପ ଦେବ, ଯାହାକି ଆହୁରି ଦୀର୍ଘଦିନ ଧରି ପ୍ରତିମୁହୂର୍ତ୍ତରେ ଛାତ୍ରୀଛାତ୍ରମାନଙ୍କ ସମେତ ଅନ୍ୟମାନଙ୍କର ବୈଜ୍ଞାନିକ ଚେତନାକୁ ଆନ୍ଦୋଳିତ କରିଚାଲିବ।
ଆଧୁନିକ ଶିକ୍ଷାର ଚରମ ଲକ୍ଷ୍ୟ ହେଲା ବୈଜ୍ଞାନିକ ଚେତନା ସୃଷ୍ଟି। ଭୂତପ୍ରେତରେ ବିଶ୍ୱାସ ଏହାର ଘୋର ପରିପନ୍ଥୀ। କାରଣ ଏବେ ନିର୍ଦ୍ଦିଷ୍ଟ ରୂପେ ପ୍ରମାଣିତ ହୋଇ ସାରିଲାଣି ଯେ, ପ୍ରତ୍ୟେକ ସଜୀବର ଜୀବନୀଶକ୍ତି ‘ପରମାତ୍ମା’ ତିଆରି କରୁଥିବା ‘ଆତ୍ମା’ ନୁହେଁ, ବରଂ କେତେକ ଜୈବରାସାୟନିକ କ୍ରିୟା ପ୍ରକ୍ରିୟାର ସନ୍ତୁଳନରୁ ସୃଷ୍ଟି ହୋଇଥାଏ। ଏଥିରେ ବ୍ୟାଘାତ ଆସିଲେ ତା’ର ମୃତ୍ୟୁ ଘଟେ। ଏପରିସ୍ଥଳେ, ‘ଆତ୍ମା’ ଏବଂ ମୃତ୍ୟୁ ପରେ ତାହା ପ୍ରେତ ପାଲଟିବା ବିଶ୍ୱାସ ଆଦୌ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ, ଯେଉଁମାନେ ଏହାର ପ୍ରଚାର ଓ ପ୍ରସାର ଘଟାଉଛନ୍ତି ସେମାନେ ଏହି ପ୍ରଶ୍ନ କେତୋଟିର ଉତ୍ତର ଦେଇ ପାରିବେ କି ?
୧. ପାରମ୍ପରିକ ବିଶ୍ୱାସ ଅନୁସାରେ ପ୍ରତ୍ୟେକ ଜୀବର ‘ଆତ୍ମା’ ଥିବାର କୁହାଯାଏ। ତେବେ, ଜୀବଜଗତର ସୃଷ୍ଟିକାଳରୁ ଆଜି ମଧ୍ୟରେ ସେମାନଙ୍କ ସଂଖ୍ୟା ଅନେକ ଗୁଣ ବଢ଼ିଛି। ‘ପରମାତ୍ମା’ କ’ଣ ଏହା ଅଧିକରୁ ଅଧିକ ଗଢ଼ିବାରେ ଲାଗି ରହିଛନ୍ତି ? ୨. ଯଦି ସବୁ ଜୀବଙ୍କର ‘ଆତ୍ମା’ ଅଛି, ତେବେ ମଲାପରେ କେବଳ ମଣିଷ ଭୂତ ବା ପ୍ରେତ ହେଉଛି, ଅନ୍ୟମାନେ ହେଉନାହାନ୍ତି କାହିଁକି? ସେପରି ହେଉଥିଲେ ପୃଥିବୀ ଏବେ ସେହି ଅଶରୀରୀମାନଙ୍କରେ ଭରି ସାରନ୍ତାଣି। ୩. ପୃଥିବୀର ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ, ସେହି ଅନୁପାତରେ ଭୂତପ୍ରେତଙ୍କ ସଂଖ୍ୟା ବଢ଼ୁନି କାହିଁକି ?
୪. ଆମ ବିଶ୍ୱାସ ଅନୁସାରେ ପୁରୁଷମାନେ ମଲେ ‘ଭୂତ’ ଏବଂ ସ୍ତ୍ରୀମାନେ ‘ଡାହାଣୀ’ ହୁଅନ୍ତି। ତେବେ ‘ଆତ୍ମା’ର କ’ଣ ଲିଙ୍ଗଭେଦ ଅଛି ? ୫. ବୈଜ୍ଞାନିକମାନେ ଏବେ ଜୀବକୋଷ ଗଠନ କରୁଥିବା ଜୈବରାସାୟନିକ ଉପାଦାନମାନ ନେଇ ‘ମାଇକୋପ୍ଲାଜ୍‌ମା ଲାବୋରେଟୋରିୟମ୍‌ ନାମକ ଜୀବାଣୁଟିଏ ତିଆରି କରିଛନ୍ତି। ଏହା ସଜୀବ ଏବଂ ଏହାର ଜନ୍ମ ମୃତ୍ୟୁ ରହିଛି। ବଂଶବୃଦ୍ଧି ଶକ୍ତି ମଧ୍ୟ ରହିଛି। ଏ ବୈଜ୍ଞାନିକମାନେ ଏହାର ସୃଷ୍ଟି ପାଇଁ ‘ଆତ୍ମା’ ଆଣିଲେ କେଉଁଠୁ?
ଏହିଭଳି ପଚାରି ବସିଲେ ପ୍ରଶ୍ନସଂଖ୍ୟା ଅନେକ ହେବ ତେବେ, ଚାଲନ୍ତୁ ବର୍ତ୍ତମାନ ‘ଆତ୍ମା’ର ସତ୍ତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ନ କରି ବାହାନଗାର ଦୁର୍ଘଟଣାକୁ ଫେରିବା। ପାରମ୍ପରିକ ବିଶ୍ୱାସ ଅନୁସାରେ ମୃତ୍ୟୁପରେ ଆତ୍ମା ଶରୀର ଛାଡ଼ି ଚାଲିଯାଏ। ତେବେ ଏ ଦୁର୍ଘଟଣାରେ ମୃତ୍ୟୁବରଣର ଅନେକ ସମୟ ପରେ ମୃତଦେହଗୁଡ଼ିକୁ ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଅତଏବ ସେତେବେଳେ ତାଙ୍କ ‘ଆମତ୍ା’ ଶରୀର ତ୍ୟାଗ କରିସାରିଥିବେ। ଏପରିସ୍ଥଳେ ଏଠାକୁ ତାଙ୍କ ଭୂତ ପ୍ରେତ ଆସିଲେ କିପରି ଯେ, ଏହା ଏବେ ଏକ ‘ଭୂତଗୃହ’ରେ ପରିଣତ ହୋଇଗଲା? ଏଠାରେ କୌଣସି ଭୌତିକକାଣ୍ଡ ଘଟିଥିଲା କି? ପୁନଶ୍ଚ ଏବେ କୁହାଯାଉଛି ଯେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ଏଣୁ ସେଗୁଡ଼ିକୁ ବିଭିନ୍ନ ମେଡିକାଲ କଲେଜକୁ ଛାତ୍ରୀଛାତ୍ରମାନଙ୍କ ଅଧ୍ୟୟନ ପାଇଁ ପଠାଯିବ। ଯଦି ବିଦ୍ୟାଳୟ ଗୃହକୁ ପ୍ରେତ ଆସି ପାରିଲେ ସେମାନେ ସେଠାକୁ ନ ଯିବେ କାହିଁକି? ଅନ୍ୟପକ୍ଷରେ, ଯଦି ପ୍ରକୃତରେ ଭୂତପ୍ରେତ କିଛି ଥାଆନ୍ତି ସେମାନେ ନୂତନ ହୋଇ ନିର୍ମିତ ବିଦ୍ୟାଳୟ ଗୃହରେ କାହିଁକି ବସା ନ ବାନ୍ଧିବେ?
ଏପରିସ୍ଥଳେ, ସମସ୍ତ ବୈଜ୍ଞାନିକ ଚିନ୍ତାଧାରାକୁ ଜଳାଞ୍ଜଳି ଦେଇ କିଛି ଅନ୍ଧବିଶ୍ୱାସୀଙ୍କ ପ୍ରରୋଚନାରେ ସରକାର ବିଦ୍ୟାଳୟ ଗୃହଟି ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ଆଦୌ ସ୍ପୃହଣୀୟ ହୋଇନାହିଁ। ପ୍ରଥମତଃ ଏହାଦ୍ୱାରା ସର୍ବସାଧାରଣଙ୍କ ଅର୍ଥର ଅପବ୍ୟୟ ଘଟିଛି, ପୁନଶ୍ଚ ଏହା ବୈଜ୍ଞାନିକ ଚେତନାକୁ ଏକ ପ୍ରଚଣ୍ଡ ଧକ୍କା ପହଞ୍ଚାଇଛି। ଏପରିସ୍ଥଳେ, ଏହା ପାଲଟିଛି ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭଟିଏ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ବସାଧାରଣଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାର ଏହା କରିଥାନ୍ତି, ତା’ ହେଲେ ବର୍ତ୍ତମାନ ତାଙ୍କର ରେଳ ଦୁର୍ଘଟଣା ସମ୍ପର୍କରେ ସମସ୍ତ ଅନୁସନ୍ଧାନ ବନ୍ଦ କରିଦେବା ଏବଂ କର୍ତ୍ତବ୍ୟ ଅବହେଳା କାରଣରୁ ଗିରଫ ହୋଇଥିବା ସମସ୍ତଙ୍କୁ ଦୋଷମୁକ୍ତ କରିଦେବା ଯୁକ୍ତିଯୁକ୍ତ ହେବ। କାରଣ, ସ୍ଥାନୀୟ ଲୋକେ ଏବେ କହିଲେଣି ଯେ, ସେମାନେ ପୂଜାକରି ଆସୁଥିବା ନିକଟସ୍ଥ ଏକ ତେନ୍ତୁଳି ଗଛକୁ କାଟି ଦେବାରୁ ଏ ଦୁର୍ଘଟଣା ଘଟିଲା। ସରକାର ଏ ମତକୁ ସମ୍ମାନ ଦେଇ ଏହାକୁ ତା’ର କାରଣ ରୂପେ ଗ୍ରହଣ ନ କରିବେ କାହିଁକି?

  • ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
    ଉଷାନିବାସ, ୧୨୪/୨୪୪୫
    ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ-୯୯୩୭ ୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri