Categories: ଜାତୀୟ

ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ…

ନୂଆଦିଲ୍ଲୀ,୬।୫: ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଭାରତ ଉପମହାଦେଶରେ ପ୍ରବେଶ କରିବ। ଜୁନ୍‌ ୧ରେ ଏହା କେରଳ ଛୁଇଁବ ବୋଲି ପାଣିପାଗ ବ୍ୟୁରୋ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପାରସ୍ପରିକ ଭୂମଣ୍ଡଳ ସ୍ଥିତି ଅନୁସାରେ ମୌସୁମୀ ଆଗମନ ସମ୍ପର୍କରେ ଏଭଳି ପୂର୍ବାନୁମାନ କରାଯାଇଥିବା ପାଣିପାଗ ବିଶେଷଜ୍ଞ ତଥା ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରାଜୀବନ୍‌ ପ୍ରକାଶ କରିଛନ୍ତି। ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୨୧ରେ ମୌସୁମୀ ସ୍ବାଭାବିକ ହେବାର ସମ୍ଭାବନା ୯୮ ପ୍ରତିଶତ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦେଶର ଆର୍ଥିକ କାର୍ଯ୍ୟକଳାପ ପୁଣି ମନ୍ଥର ହୋଇଯାଇଛି। ଏପରିସ୍ଥଳେ ସାଧାରଣ ମୌସୁମୀ ଉପରେ ଦେଶର କୃଷକମାନଙ୍କ ସ୍ଥିତି ତଥା କୃଷି ମାନଦଣ୍ଡ ନିର୍ଭର କରୁଛି। ମୌସୁମୀର ଭାରତ ପ୍ରବେଶ ସ୍ଥିତି ଅନୁସାରେ କୃଷକମାନେ ବିହନ ବୁଣିବା କାର୍ଯ୍ୟ ଶେଷ କରିଥାନ୍ତି। ଗତବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା। ତେବେ, ୨୦୧୯ ରେ, ଏହା ଜୁନ୍‌ ୮ରେ କେରଳରେ ପ୍ରବେଶ କରିଥିଲା, ଯାହା ଫଳରେ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ସାଧାରଣତଃ ମୌସୁମୀର ପ୍ରବେଶ ଏବଂ ପ୍ରତ୍ୟାବର୍ତ୍ତନରେ ହାରାହାରି ୭ରୁ ୧୫ ଦିନ ପର୍ଯ୍ୟନ୍ତ ପାର୍ଥକ୍ୟ ରହିଥାଏ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ଉପମହାଦେଶରେ ମୌସୁମୀର ପ୍ରବେଶ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ ମେ’ ୧୫ରେ କରାଯିବ। ଏହାଦ୍ୱାରା ସ୍ଥିତି ଅଧିକ ସ୍ପଷ୍ଟ ହୋଇପାରିବ।

Share