Categories: ଜାତୀୟ

ଜୁନରେ ଆସିବ ମୌସୁମୀ

ନୂଆଦିଲ୍ଲୀ,୨୬।୫: ଉତ୍ତର ଭାରତ ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ଖୁବଶୀଘ୍ର ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ। ନିକଟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାରୁ ତାପମାତ୍ରା କମ ହୋଇଯାଇଛି। ହେଲେ କିଛିଦିନ ମଧ୍ୟରେ ପାଣିପାଗରେ ଆହୁରି ପରିବର୍ତ୍ତନ ହେବ। ତେବେ ଆଇଏମଡି ପକ୍ଷରୁ ଶୁକ୍ରବାର ମୌସୁମୀକୁ ନେଇ ଅପଡେଟ ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନରେ ମୌସୁମୀ ଆସିବ। ଜୁନ ୪ ପାଖାପାଖି ଏହା କେରଳ ଛୁଇଁବ ବୋଲି ଅନୁମାନ କରିଛି ଆଇଏମଡି। ତେବେ ୧ ଜୁନ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଇଛି। ଚଳିତ ବର୍ଷ ମୌସୁମୀ ସାମାନ୍ୟ ରହିବାର ଅନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ ମାସରେ ଦେଶରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଅଧିକାଂଶ ଭାଗରେ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ରହିଛି। ଆଇଏମଡି ଏହା ମଧ୍ୟ କହିଛି ଯେ ଜୁନ ମାସରେ ବର୍ଷା ସ୍ବାଭାବିକଠାରୁ କମ ରହିବ।
ଜୁନରେ ବର୍ଷା ସ୍ବାଭାବିକଠାରୁ ୯୨ ପ୍ରତିଶତ କମ ହୋଇପାରେ। ତେବେ, ଆନୁମାନିକ ୯୬ ପ୍ରତିଶତ ବୃଷ୍ଟିପାତ ସହିତ ଏଥର ମୌସୁମୀ ସ୍ବାଭାବିକ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ ଏଲ ନିନୋ ସତ୍ତ୍ୱେ ଏଥର ମୌସୁମୀ ସ୍ବାଭାବିକ ହୋଇପାରେ ଏବଂ ଏହା ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇପାରେ।
ଜୁନ ମାସରେ ଉତ୍ତର ଭାରତରେ ମଧ୍ୟ ମୌସୁମୀ ଆସିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜୁନ ମାସରେ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ପହଞ୍ଚିଯିବ। ଏଥର ସାଧାରଣ ବର୍ଷା ହେବାର ସମ୍ଭାବନା ପ୍ରକାଶ ପାଇଛି। ତଥାପି, ଏହା ଜୁଲାଇ ମାସରେ ଅଧିକ ହୋଇପାରେ।

Share